
ଦେବଗଡ଼:ଦେବଗଡ ଜିଲ୍ଲା ସୁନାମୁଣ୍ଡା ସ୍ଥିତ ପିଏମ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ଛାତ୍ରାବାସରେ ରୢାଗିଂ ଘଟଣାର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଶିଶୁ ମଙ୍ଗଳ କମିଟି ପକ୍ଷରୁ ତଦନ୍ତ କରାଯାଇଛି।ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର ,ଶିଶୁ ମଙ୍ଗଳ କମିଟି ସଦସ୍ୟା ଗାୟତ୍ରୀ ଦିବେଦୀ , ଯତୀନ୍ଦ୍ର ମୋହନ ନାୟକ ଓ ସୁରକ୍ଷା ଅଧିକାରୀ ଚିନ୍ମୟ ସ୍ଵାଇଁ ବିଦ୍ୟାଳୟକୁ ଯାଇ ବିଦ୍ୟାଳୟର ଅଧ୍ୟକ୍ଷ ଅନୁପସ୍ଥିତ ଥିବାରୁ ବିଦ୍ୟାଳୟର ଉପାଧ୍ୟକ୍ଷ ରାଜର୍ଷି ପାଳିତଙ୍କ ସହ ଘଟଣା ସଂପର୍କରେ ଆଲୋଚନା କରିଥିଲେ।ତଦନ୍ତ ସମୟରେ ସିକ୍ୟୁରିଟୀ ଗାର୍ଡ ଲିଖିତ ବୟାନକୁ ତଦନ୍ତ ପରିସର ଭୁକ୍ତ କରାଯାଇଥିଲା।ଘଟଣା ଦିନ ରାତିରେ ସିକ୍ୟୁରିଟୀ ଗାର୍ଡ ଡ୍ୟୁଟିରେ ଥାଇ ମଧ୍ୟ ବରିଷ୍ଠ ଛାତ୍ରମାନଙ୍କ କନିଷ୍ଠ ଛାତ୍ରଙ୍କ ପ୍ରତି ଏଭଳି ନିଷ୍ଠୁରତା ସମ୍ପର୍କରେ କେମିତି ସିକ୍ୟୁରିଟୀ ଗାର୍ଡ ସମେତ ଛାତ୍ରବାସ ପରିସରରେ ରହୁଥିବା ହାଉସ ମାଷ୍ଟର ଜାଣି ପାରିଲେ ନାହି ବୋଲି ଶିଶୁ ମଙ୍ଗଳ କମିଟି କ୍ଷୋଭ ପ୍ରକାଶ କରିଥିଲେ।ତଦନ୍ତ ସମୟରେ ବିଦ୍ୟାଳୟ ହଷ୍ଟେଲର ସୁରକ୍ଷା ବ୍ୟବସ୍ଥାକୁ ସମୀକ୍ଷା କରି ଜିଲ୍ଲା ଶିଶୁ ମଙ୍ଗଳ କମିଟି ପକ୍ଷରୁ ବିଦ୍ୟାଳୟ କର୍ତ୍ତୁପକ୍ଷଙ୍କୁ ହଷ୍ଟେଲ କରିଡୋରରେ ସିସିଟିଭି କ୍ୟାମେରା ,ଅପାତ୍ତିକାଳୀନ ଯୋଗାଯୋଗ ପାଇଁ ଅଧିକାରୀମାନଙ୍କ ତଥା ଚାଇଲ୍ଡ ହେଲ୍ପଲାଇନ-୧୦୯୮ ଯୋଗାଯୋଗ ନମ୍ବର ଓ ବିଦ୍ୟାଳୟରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନଓ ଯୋଗାଯୋଗ ନମ୍ବରର ପ୍ରଦର୍ଶନ ,ହଷ୍ଟେଲ ପରିସରରେ ପୋକସୋ ଇ-ବକ୍ସ ସ୍ଥାପନ ଓ ବାରମ୍ବାର ଏଭଳି ହିଂସାତ୍ମକ କ୍ରିୟାକଳାପ ପ୍ରଦର୍ଶନ କରୁଥିବା ପିଲାଙ୍କ ଅଭିଭାବକ ସହିତ ନିୟମିତ ବୈଠକ କରିବା ପାଇଁ ପରାମର୍ଶ ଦେଇଥିଲେ।ଦେବଗଡ ଥାନାରେ ଏନେଇ ବରିଷ୍ଠ ଛାତ୍ରମାନଙ୍କ ନାମରେ ଅଭିଯୋଗ ହୋଇଥିବାବେଳେ କିଶୋର ନ୍ୟାୟ ଅଧିନିୟମ ଅନୁଯାୟୀ,ପିଲାମାନଙ୍କୁ କିଶୋର ନ୍ୟାୟ ବୋର୍ଡରେ ପୁଲିସ ପକ୍ଷରୁ ପରବର୍ତ୍ତୀ ପଦକ୍ଷେପ ପାଇଁ ଉପସ୍ଥାପିତ କରାଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।




