
ଭୁବନେଶ୍ବର: ପୁ୍ଣି ବଢ଼ିଲା ତୈଳ ଦର । ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ବୃଦ୍ଧି ହୋଇଛି । ପେଟ୍ରୋଲ ଲିଟର ପିଛା ୨ ଟଙ୍କା ୬୧ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ଦର ଲିଟର ପିଛା ୨ ଟଙ୍କ ୭୧ ପଇସା ବୃଦ୍ଧି ପାଇଛି । ଦୁଇ ସପ୍ତାହ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ଚତୁର୍ଥ ଥର ବୃଦ୍ଧି ପାଇଛି । ବର୍ଦ୍ଧିତ ତୈଳଦର ଯୋଗୁଁ ନୂଆଦିଲ୍ଲୀରେ ପେଟ୍ରୋଲ ଦର ୧୦୨ ଟଙ୍କା ୧୨ ପଇସା ହୋଇଛି । ସେହିପରି ଡିଜେଲ ଦର ୯୫ ଟଙ୍କା ୨୦ ପଇସା ଛୁଇଁଛି ।
ନୂଆ ତୈଲ ଦର ଲାଗୁ ପରେ ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ୧୦୮.୭୯ ଟଙ୍କା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୧୦୦.୫୧ ଟଙ୍କା ହୋଇଛି ।ଦୀର୍ଘ ସମୟ ଧରି ତୈଳ ଦର ସ୍ଥିର ରହିଥିବାବେଳେ ମେ ୧୫ରୁ ପୁଣି ଥରେ ଦର ସଂଶୋଧନ ହୋଇଛି । ମେ ୧୫ରୁ ପେଟ୍ରୋଲ ଓ ଡିଜେଲ ଦରରେ ପାଖାପାଖି ୭ ଟଙ୍କା ୫୦ ପଇସା ବୃଦ୍ଧି ପାଇଛି । ମେ’ ୧୫ ଠାରୁ ଏହା ତୃତୀୟ ଥର ପାଇଁ ବୃଦ୍ଧି ହୋଇଛି । ମେ’ ୧୫ ଲିଟର ପିଛା ମୂଲ୍ୟ ୩ ଟଙ୍କା ବୃଦ୍ଧି କରାଯାଇଥିଲା । ପରେ ମେ’ ୧୯ ତାରିଖରେ ୯୦ ପଇସା ବୃଦ୍ଧି କରାଯାଇଥିଲା । ଏହା ପରେ ମେ ୨୩ ତାରିଖରେ ପେଟ୍ରୋଲରେ ୮୭ ପଇସା ଏବଂ ଡିଜେଲ ଦରରେ ୯୧ ପଇସା ବୃଦ୍ଧି କରାଯାଇଥିଲା।
ଖୁଚୁରା ଇନ୍ଧନ ମୂଲ୍ୟରେ ଦୀର୍ଘ ସମୟ ଧରି ସ୍ଥିରତା ପରେ ଏବେ ଲଗାତାର ବୃଦ୍ଧି ଘଟିଛି । ବିଶ୍ୱ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି, ବିଶୋଧନ ମାର୍ଜିନକୁ କଡ଼ାକଡ଼ି କରିବା ଏବଂ ଟଙ୍କା ଦୁର୍ବଳ ହେବା ଫଳରେ ଆମଦାନୀ ଖର୍ଚ୍ଚ ତୀବ୍ର ଭାବରେ ବୃଦ୍ଧି ପାଇଛି।


