
ଭୁବନେଶ୍ୱର: ରାଜ୍ୟରେ ତେଲ ଦର ବାରମ୍ବାର ବୃଦ୍ଧି ପାଇବାରେ ଲାଗିଛି। ଗତ ୧୦ ଦିନ ମଧ୍ୟରେ ତେଲ ଦର ୩ ଥର ବୃଦ୍ଧି ପାଇବାକୁ ନେଇ ଖାଉଟିଙ୍କ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଆଗକୁ ତେଲ ଦରରେ ଆହୁରି ବୃଦ୍ଧି ହେବ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଜୋର୍ ଧରିଛି। ତେଲ ଦର ବାରମ୍ବାର ବୃଦ୍ଧିହେବା ପରେ ପେଟ୍ରୋଲ ଏବଂ ଡିଜେଲ ଉପରୁ ରାଜ୍ୟ ସରକାର ଆଦାୟ କରୁଥିବା ଭାଟ୍ ହ୍ରାସ କରିବାକୁ ବିରୋଧୀ ଦାବି କରିଛନ୍ତି। ଏହାକୁ ନେଇ ରାଜନୀତି ଜୋର୍ ଧରିବାରେ ଲାଗିଛି। ବିଜେଡି ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି, ପେଟ୍ରୋଲ, ଡିଜେଲ ଦର ଯଦି ବୃଦ୍ଧି ପାଉଛି ତେବେ ରାଜ୍ୟ ସରକାର ଏହା ଉପରେ ନେଉଥିବା ଭାଟ୍ ବର୍ତ୍ତମାନ ସମୟରେ ହ୍ରାସକରନ୍ତୁ। ଯଦି ଖାଉଟିମାନଙ୍କ ସମସ୍ୟା ପ୍ରତି ରାଜ୍ୟ ସରକାର ଚିନ୍ତିତ ଅଛନ୍ତି ତେବେ ଭାଟ୍ ହ୍ରାସ କରିବାରେ କିଛି ସମସ୍ୟା ନାହିଁ। ଏହାଦ୍ୱାରା ସାଧାରଣ ଲୋକଙ୍କୁ ସାହାଯ୍ୟ ହେବ ବୋଲି ଗଣେଶ୍ୱର କହିଛନ୍ତି।
ସୂଚନାଯୋଗ୍ୟ, ଗତ ମେ ୧୫ ତାରିଖରେ ପେଟ୍ରୋଲ ଦର ୩ ଟଙ୍କା ୧୫ ପଇସା ଏବଂ ଡିଜେଲ ଦର ଉପରେ ୩ ଟଙ୍କା ୧୯ ପଇସା ବୃଦ୍ଧି ହୋଇଥିଲା। ଏହାପରେ ଗତ ୧୯ ତାରିଖରେ ପେଟ୍ରୋଲରେ ୯୩ ପଇସା ଏବଂ ଡିଜେଲ ଉପରେ ୯୬ ପଇସା ବୃଦ୍ଧି ହେଇଥିଲା। ଶନିବାର ପେଟ୍ରୋଲରେ ୯୨ ଏବଂ ଡିଜେଲରେ ୯୭ ପଇସା ବୃଦ୍ଧି ହୋଇଛି। ଏହାକୁ ନେଇ ଅନେକ ସ୍ଥାନରେ ସାଧାରଣ ଲୋକମାନେ କହିଛନ୍ତି, ରୋଜଗାର ବୃଦ୍ଧି ହେଉନାହିଁ ମାତ୍ର ଦର ବୃଦ୍ଧି ହୋଇଚାଲିଛି। ବର୍ତ୍ତମାନ ରାଜ୍ୟରେ ପେଟ୍ରୋଲର ମୂଳ ଦର ୬୮ ଟଙ୍କା ୩୧ ପଇସା ରହିଛି। ଏହା ଉପରେ ୧୧ ଟଙ୍କା ୯୦ ପଇସାର ଏକ୍ସାଇଜ ଡ୍ୟୁଟି, ଭାଟ୍ ୨୨ ଟଙ୍କା ୩୮ ପଇସା ଏବଂ ଡିଲର ମାର୍ଜିନ ୩ ଟଙ୍କା ୭୭ ପଇସା ନିଆଯାଉଛି। ସେହିପରି ଡିଜେଲର ମୂଳ ଦର ୬୯ ଟଙ୍କା ୩୧ ପଇସା ରହିଛି। ଏହା ଉପରେ ଏକ୍ସାଇଜ ଡ୍ୟୁଟି ୭ ଟଙ୍କା ୮୦ ପଇସା, ଭାଟ୍ ୧୮ ଟଙ୍କା ୪୫ ପଇସା ଏବଂ ଡିଲର ମାର୍ଜିନ ୨ ଟଙ୍କା ୩୬ ପଇସା ନିଆଯାଉଛି। ରାଜ୍ୟ ସରକାର ପେଟ୍ରୋଲ ଉପରେ ୨୮ ଏବଂ ଡିଜେଲ ଉପରେ ୨୪ ପ୍ରତିଶତ ଭାଟ୍ ଲଗାଇଛନ୍ତି।
ଭାଜପା ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରା କହିଛନ୍ତି, ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ୍ ପାଇଁ ଭାରତକୁ ଅନ୍ତର୍ଜାତୀୟ ବଜାର ଉପରେ ନିର୍ଭର କରିବାକୁ ପଡ଼ିଥାଏ। ଏବେ ଯେଉଁ ଦରବୃଦ୍ଧି ଘଟୁଛି ତାକୁ ନଜରରେ ରଖି ଯଦି ଭାଟ୍ ହ୍ରାସ କରାଯିବ ତେବେ ରାଜ୍ୟ ସରକାର ଆର୍ଥିକ ଦୃଷ୍ଟିରୁ ଚିନ୍ତାକରି ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି।


