
ରାଇକିଆ: କନ୍ଧମାଳ ଜିଲ୍ଲାର ରାଇକିଆ ଗ୍ରାମ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧୀନରେ ଗୃହ ବଣ୍ଟନ ନିମନ୍ତେ ପ୍ରାଥମିକତା ଅପେକ୍ଷା ତାଲିକା ପ୍ରସ୍ତୁତି ଓ ଅନୁମୋଦନ ଲକ୍ଷ୍ୟରେ ଏକ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ଗ୍ରାମସଭାରେ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଯୋଗ୍ୟ ଓ ପ୍ରକୃତ ଗୃହହୀନ ପରିବାରଙ୍କୁ ପ୍ରାଥମିକତା ଦେଇ ଅପେକ୍ଷା ତାଲିକା ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇଥିଲା।
ଗ୍ରାମସଭାରେ ସରପଞ୍ଚ ଶ୍ରୀମତୀ ଗୀତାଞ୍ଜଳି ନାୟକ ଅଧ୍ୟକ୍ଷତା କରିଥିବାବେଳେ ନାୟବ ସରପଞ୍ଚ ନିଥାଏଲ ନାୟକ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶିବ ଶମ୍ଭୁ ଗୌଡ଼, ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟ ଓ ସଭ୍ୟାଙ୍କ ସହ ବହୁ ସଂଖ୍ୟକ ଗ୍ରାମବାସୀ ଉପସ୍ଥିତ ରହିଥିଲେ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଦ୍ୟୁତ ଯୋଜନା ସମ୍ପର୍କରେ ରାଇକିଆ ବିଦ୍ୟୁତ ବିଭାଗର ଯନ୍ତ୍ରୀ ଶ୍ରବଣ କୁମାର ନାୟକ ଯୋଗଦେଇ ଉପସ୍ଥିତ ଲୋକଙ୍କୁ ଯୋଜନାର ସୁବିଧା, ଆବେଦନ ପ୍ରକ୍ରିୟା ଏବଂ ଘର ଛାତ ଉପରେ ସୌର ଶକ୍ତି ପ୍ୟାନେଲ ସ୍ଥାପନ କରି କିପରି ବିଦ୍ୟୁତ ବିଲ୍ରେ ସଞ୍ଚୟ କରାଯାଇପାରିବ, ସେ ସମ୍ପର୍କରେ ସଚେତନ କରିଥିଲେ। ଅଧିକରୁ ଅଧିକ ଯୋଗ୍ୟ ପରିବାର ଏହି ଯୋଜନାର ସୁବିଧା ନେବାକୁ ସେ ଆହ୍ୱାନ କରିଥିଲେ।
ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଚୟନ ପ୍ରକ୍ରିୟା, ଯୋଗ୍ୟତା ମାନଦଣ୍ଡ ଏବଂ ପ୍ରାଥମିକତା ଅପେକ୍ଷା ତାଲିକା ସମ୍ପର୍କରେ ଉପସ୍ଥିତ ଲୋକଙ୍କୁ ସଚେତନ କରାଯାଇଥିଲା। ଗ୍ରାମବାସୀଙ୍କ ମତାମତ ଗ୍ରହଣ କରି ସ୍ୱଚ୍ଛ ଓ ନିରପେକ୍ଷ ଭାବେ ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଇଥିଲା। ଯୋଜନାର ପ୍ରକୃତ ହିତାଧିକାରୀମାନେ ଯେପରି ସରକାରୀ ସହାୟତା ପାଇପାରିବେ, ସେଥିପାଇଁ ସମସ୍ତଙ୍କ ସହଯୋଗ କାମନା କରାଯାଇଥିଲା.ଏହି ଗ୍ରାମସଭା କୁ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶିବଶମ୍ଭୁ ଗୌଡ଼ ପରିଚାଳନା କରିଥିଲେ.
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା




