
ଭୁବନେଶ୍ୱର/ପୁରୀ: ବାହୁଡ଼ା ଯାତ୍ରା ଅବସରରେ ମହାପ୍ରଭୁଙ୍କୁ ରଥ ଉପରେ ଦର୍ଶନ କରିବା ପାଇଁ ପୁରୀକୁ ଭକ୍ତଙ୍କ ସମାଗମ ବଢ଼ୁଛି । ଶନିବାର ସକାଳୁ ଭୁବନେଶ୍ବର ପୁରୀ ମଧ୍ୟରେ ଗାଡିମୋଟର ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ପୋଲିସର ଟ୍ରାଫିକ୍ କଣ୍ଟ୍ରୋଲ୍ ରୁମ୍ ପୁରୀ ପକ୍ଷରୁ ଶନିବାର ସକାଳ ୯ଟା ୩୦ ମିନିଟ୍ ସୁଦ୍ଧା ଏକ ଟ୍ରାଫିକ ଆଡଭାଇଜରି ଜାରି କରାଯାଇଛି।ଆଡଭାଇଜରି ଅନୁଯାୟୀ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାନବାହନର ପ୍ରବାହ କ୍ରମାଗତ ଭାବେ ବଢ଼ୁଛି। ପରିସ୍ଥିତିକୁ ନିୟନ୍ତ୍ରଣ ଓ ଟ୍ରାଫିକ ଜାମ ଏଡ଼ାଇବା ପାଇଁ ସମସ୍ତ ଯାନବାହନକୁ ତାଳବଣିଆ ଆକ୍ସିସ୍ ଆଡ଼କୁ ଡାଇଭର୍ଟ କରାଯାଉଛି।
ସେହିପରି ମାଲତୀପାଟପୁରରେ ବର୍ତ୍ତମାନ ୩୦ରୁ ୪୫ ମିନିଟ୍ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଛି ଏବଂ ଯାନବାହନର ଚାପ ଆହୁରି ବଢ଼ିଲେ ଏହି ଅପେକ୍ଷା ସମୟ ଆହୁରି ବୃଦ୍ଧି ପାଇପାରେ ବୋଲି ଟ୍ରାଫିକ୍ ପୋଲିସ ସୂଚନା ଦେଇଛି।ସକାଳ 10ଟା ସୁଦ୍ଧା ମାଳତିପାଟପୁର ଠାରେ ଅପେକ୍ଷା ସମୟ ବର୍ତ୍ତମାନ ପ୍ରାୟ ୧ ଘଣ୍ଟା ରହିଛି । ଯାହା ଆହୁରି ବୃଦ୍ଧି ପାଇପାରେ ବୋଲି ପୁରୀ ପୋଲିସ ଏକ ଆଡଭାଇଜରୀ ଜାରି କରିଛି । ଆଡଭାଇଜରୀରେ ଉଲ୍ଲେଖ ରହିଛି ଯେ ‘‘ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାନବାହନର ଚାପ ଅଧିକ ରହିଛି ଏବଂ କ୍ରମଶଃ ବୃଦ୍ଧି ପାଉଛି। ସମସ୍ତ ଯାନବାହନକୁ ତାଳବଣିଆ ଆକ୍ସିସ୍ ଦେଇ ଡାଇଭର୍ଟ କରାଯାଉଛି’’।
ଓଡ଼ିଶା ପୁଲିସ ଭକ୍ତ ଓ ଯାତ୍ରୀମାନଙ୍କୁ ଧୈର୍ଯ୍ୟର ସହ ଯାତ୍ରା କରିବା ସହ ଡ୍ୟୁଟିରେ ଥିବା ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ସହ ସହଯୋଗ କରିବାକୁ ଅନୁରୋଧ କରାଯାଇଛି । ସୁରକ୍ଷିତ ଓ ସୁଶୃଙ୍ଖଳ ଯାତ୍ରା ପାଇଁ ଟ୍ରାଫିକ୍ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।
ଜନ୍ମବେଦୀରେ ଲୀଳାଖେଳା ସାରି ଶୁକ୍ରବାର ଶ୍ରୀଜିଉମାନେ ଗୁଣ୍ଡିଚା ମନ୍ଦିରରୁ ବାହୁଡ଼ିବା ପରେ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ତିନି ଠାକୁରଙ୍କ ରହିଛି । ଆଜି ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ । ବଡ଼ଦାଣ୍ଡରେ ରାଜାଧିରାଜ ରୂପରେ ଦର୍ଶନ ଦେବେ ତିନି ଠାକୁର । ସେପଟେ ବାହୁଡା ଠାରୁ ପାଗ ଶୁଖିଲା ଥିବାରୁ ବଡଦାଣ୍ଡକୁ ଭକ୍ତଙ୍କ ଭିଡ ବଢିବାରେ ଲାଗିଛି ।




