
ଭିଜିଲାନ୍ସ ରେଡ୍ ବେଳେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ବୈକୁଣ୍ଠ ନାଥ ବେହେରାଙ୍କ ଲକରରୁ ୨ କୋଟି ଟଙ୍କା ଠାବ କରାଯାଇଛି। ଏହି ଲକର ତାଙ୍କ ପତ୍ନୀଙ୍କ ନାମରେ ଥିବା ଜଣାପଡ଼ିଛି। ଏହା ସହିତ ତାଙ୍କର ଆଉ ଏକ ଲକରରୁ ୩୫୦ ଗ୍ରାମ ସୁନା ଗହଣା ଠାବ କରାଯାଇଛି। ବାବୁଙ୍କର ଆହୁରି ୨ଟି ବ୍ୟାଙ୍କ ଲକର ଥିବା ଜଣାପଡ଼ିଛି।
ରେଡ୍ ବେଳେ ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ବୈକୁଣ୍ଠ ନାଥ ବେହେରାଙ୍କ ୫ଟି ବହୁତଳ କୋଠା ଠାବ କରାଯାଇଛି। ସେଥିରୁ ୪ଟି ଭୁବନେଶ୍ୱରର ପ୍ରମୁଖ ସ୍ଥାନରେ ରହିଛି। ନିଳାଦ୍ରୀ ବିହାରରେ ତାଙ୍କର ଏକ ୪ ମହଲା କୋଠା (୧୦ ହଜାର ୫୦୦ ବର୍ଗଫୁଟ୍ ଜାଗାରେ ନିର୍ମିତ) ଥିବା ବେଳେ ୧୧୦୦ ବର୍ଗଫୁଟ୍ ଜାଗାରେ ନିର୍ମିତ ଏକ ତିନି ମହଲା କୋଠା ଶୈଳଶ୍ରୀ ବିହାର ଅଞ୍ଚଳରେ ରହିଛି। ପଟିଆର କାନନ ବିହାର ଫେଜ୍-୧ରେ ତାଙ୍କର ଏକ ଦ୍ୱିମହଲା କୋଠା (୩୭୫୦ ବର୍ଗଫୁଟ ଜାଗାରେ ନିର୍ମିତ) ଥିବା ବେଳେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଆଉ ଏକ ଦ୍ୱିମଲା କୋଠା ରହିଛି, ଯାହା ୨୫୦୦ ବର୍ଗଫୁଟ୍ ଜାଗାରେ ତିଆରି ହୋଇଛି। ସେହିପରି ଯାଜପୁର ଜିଲ୍ଲା ଧର୍ମଶାଳାରେ ପୈତୃକ ଜାଗା ଉପରେ ତାଙ୍କର ଏକ ଦ୍ୱିମହଲା କୋଠା ରହିଛି। ଏହି କୋଠା ମଧ୍ୟ ୨୫୦୦ ବର୍ଗଫୁଟ ଜାଗାରେ ନିର୍ମାଣ ହୋଇଛି।
ଏହା ବାଦ୍ ତାଙ୍କର ୧୩ଟି ଦାମୀ ପ୍ଲଟ୍ ଅଛି। ସେଥିରୁ ୭ଟି ଭୁବନେଶ୍ୱରର ପ୍ରମୁଖ ସ୍ଥାନମାନଙ୍କରେ ଥିବା ବେଳେ ୫ଟି ଯାଜପୁରର ଧର୍ମଶାଳରେ ଓ ଗୋଟିଏ ବାରିପଦାରେ ରହିଛି। ତାଙ୍କ ଘରୁ ନଗଦ ୨ ଲକ୍ଷ ୬୬ ହଜାର ୪୦୦ ଟଙ୍କା ଜବତ କରାଯାଇଛି। ଏହା ସହିତ ପୁଳା ପୁଳା ସୁନା ଗହଣା ଜବତ କରାଯାଇଛି। ତାଙ୍କ ଘରର ଠାକୁର ଘରେ ମଧ୍ୟ ସୁନାର ବ୍ୟବହାର କରାଯାଇଥିବା ଜଣାପଡ଼ିଛି।


