
ବିଶ୍ୱ ପରିବେଶ ଦିବସରେ ଜିଲ୍ଲାସ୍ତରୀୟ ସମାରୋହରେ ସମ୍ମାନିତ
ଘୁ.ଉଦୟଗିରି: ବିଶ୍ୱ ପରିବେଶ ଦିବସ ଅବସରରେ କନ୍ଧମାଳ ଜିଲ୍ଲାର ଯୁବ ସମାଜସେବୀ ତଥା ପରିବେଶପ୍ରେମୀ ଆମନ ଚନ୍ଦ୍ର ନାୟକଙ୍କୁ ତାଙ୍କର ଉଲ୍ଲେଖନୀୟ ପରିବେଶ ସୁରକ୍ଷା ଓ ସାମାଜିକ ସେବା କାର୍ଯ୍ୟ ପାଇଁ ରାଜ୍ୟ ସରକାରଙ୍କ ସମ୍ମାନଜନକ “ପ୍ରକୃତି ବନ୍ଧୁ” ପୁରସ୍କାର ପ୍ରଦାନ କରାଯାଇଛି। ଏହି ଗୌରବମୟ ସଫଳତା ପରେ ଘୁ.ଉଦୟଗିରି ଓ କଳିଙ୍ଗା ଅଞ୍ଚଳରେ ଖୁସିର ଲହର ଖେଳିଯାଇଛି।
ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅନ୍ତର୍ଗତ ଜିଲ୍ଲା ପରିବେଶ ସମିତି, କନ୍ଧମାଳ ପକ୍ଷରୁ ଫୁଲବାଣୀ ସ୍ଥିତ ପଞ୍ଚାୟତ ଭବନ ସଭାଗୃହରେ ଆୟୋଜିତ ଜିଲ୍ଲାସ୍ତରୀୟ ବିଶ୍ୱ ପରିବେଶ ଦିବସ ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରେମେନ୍ଦ୍ର ପ୍ରସାଦ, ବନଖଣ୍ଡ ଅଧିକାରୀ ଘନଶ୍ୟାମ ମହନ୍ତ, ଆଇଏଏସ୍ (ପ୍ରୋବେସନର) ଯଶକରଣ ସିଂ, ଏସିଏଫ୍ ସ୍ୱେତଲିନା ସାହୁ ଓ ଉଦିତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏସିଏଫ୍ ସ୍ୱେତଲିନା ସାହୁଙ୍କ ତତ୍ତ୍ୱାବଧାନରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଚୟନିତ ୮ ଜଣ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା।
ସେଥିମଧ୍ୟରୁ ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ଗ୍ରାମର ଆମନ ଚନ୍ଦ୍ର ନାୟକଙ୍କୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରେମେନ୍ଦ୍ର ପ୍ରସାଦ ଓ ଅନ୍ୟାନ୍ୟ ଅତିଥିମାନେ ମାନପତ୍ର, ପୁଷ୍ପଗୁଚ୍ଛ ଓ ପୁରସ୍କାର ରାଶି ପ୍ରଦାନ କରି ସମ୍ମାନିତ କରିଥିଲେ।
ଉଲ୍ଲେଖଯୋଗ୍ୟ ଯେ, ଆମନ ଚନ୍ଦ୍ର ନାୟକ ଦୀର୍ଘଦିନ ଧରି ପରିବେଶ ସୁରକ୍ଷା, ବୃକ୍ଷରୋପଣ, ଜଙ୍ଗଲ ନିଆଁ ପ୍ରତିରୋଧ, ପ୍ଲାଷ୍ଟିକ ବର୍ଜନ ସଚେତନତା, ଜଳବାୟୁ ପରିବର୍ତ୍ତନ ଉପରେ ଜନଜାଗରଣ, ବାଲ୍ୟ ବିବାହ ରୋକିବା ଏବଂ ରକ୍ତଦାନ ଶିବିର ଆୟୋଜନ ଭଳି ବିଭିନ୍ନ ସେବାମୂଳକ କାର୍ଯ୍ୟରେ ସକ୍ରିୟ ଭାବେ ଜଡିତ ରହିଆସୁଛନ୍ତି।
ପୁରସ୍କାର ପାଇବା ପରେ ଆମନ ଚନ୍ଦ୍ର ନାୟକ କହିଥିଲେ, “ଏହି ସମ୍ମାନ ମୋର ଏକାର ନୁହେଁ, ବରଂ ମୋତେ ସହଯୋଗ ଓ ପ୍ରେରଣା ଦେଇଥିବା ସମସ୍ତ ଶୁଭେଚ୍ଛୁ, ବନ୍ଧୁ ଓ ଅଞ୍ଚଳବାସୀଙ୍କର। ଏହା ମୋତେ ଆହୁରି ନିଷ୍ଠାର ସହ ସମାଜ ଓ ପରିବେଶ ପାଇଁ କାର୍ଯ୍ୟ କରିବାକୁ ପ୍ରେରିତ କରିବ।”
ଆମନଙ୍କ ଏହି ସଫଳତା ପାଇଁ କନ୍ଧମାଳ ଜିଲ୍ଲାର ବିଭିନ୍ନ ସାମାଜିକ ସଂଗଠନ, ବୁଦ୍ଧିଜୀବୀ, ଯୁବ ସଂଗଠନ ଓ ଶୁଭେଚ୍ଛୁମାନଙ୍କ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯାଇଛି।
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା


