
ଭୁବନେଶ୍ୱର: ରାଜଧାନୀରେ ଶହୀଦନଗର ଥାନା ଅନ୍ତର୍ଗତ ଭିଏସଏସ୍ ନଗର ତାରିଣୀ ବସ୍ତିରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ୨୪ ଘଣ୍ଟାରେ ଦୁଇ ଚାଞ୍ଚଲ୍ୟକର ଘଟଣାକୁ ନେଇ ରାଜ୍ୟରେ ବଡ଼ ଚର୍ଚ୍ଚାର ବିଷୟ ହୋଇଛି। ତାରିଣୀ ବସ୍ତିରେ ଶଳାକୁ ପଥରରେ ଛେଚି ଭିଣୋଇ ଅତି ବିଭତ୍ସ ଭାବେ ହତ୍ୟା କରିଛି । ମୃତକ ହେଲେ ପଠାଣି ସାହୁ (୪୦)।
ଘଟଣା ଭିଆଇ ଅଭିଯୁକ୍ତ ସୁରେଶ ସିଂ ଫେରାର ହୋଇଯାଇଥିଲା। ପୋଲିସ ତାକୁ ସ୍ଥାନୀୟ ଅଞ୍ଚଳରୁ କାବୁ କରି ଅଟକ ରଖିଛି। ତେବେ ବଡ଼ କଥା ହେଉଛି ହତ୍ୟା ପରେ ଅଭିଯୁକ୍ତ ସୁରେଶ ମୃତଦେହକୁ ଘୋଷାଡି ନେଇ ଟ୍ରେନ ଲାଇନ୍ ପାର୍ଶ୍ୱରେ ପକାଇଛି। ସୁରେଶ ପୋଲିସ ଆଖିରେ ଧୂଳି ଦେବାକୁ ଯାଇ ଦୁର୍ଘଟଣାର ରୂପ ଦେବାକୁ ଉଦ୍ୟମ କରିଛି। ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ନମୁନା ସଂଗ୍ରହ କରିଛି। ହତ୍ୟା ପଛର ପ୍ରକୃତ କାରଣ ଜଣିବାକୁ ପୋଲିସ ଅଧିକ ଅନୁସନ୍ଧାନ ଚଲାଇଛି।
ଜୋନ୍-୫ ଏସିପି ବିଶ୍ୱରଞ୍ଜନ ସେନାପତି କହିଛନ୍ତି ‘‘ଭିଣୋଇ ଶଳାକୁ ହତ୍ୟା କରିଛି ବୋଲି ଖବର ପାଇଥିଲୁ। ମୃତଦେହ ଟ୍ରେନ ଲାଇନ୍ ପାଖରେ ପଡିଛି। ଯାହା ଜଣାପଡୁଛି ହତ୍ୟା ପରେ ମୃତଦେହକୁ ଟ୍ରେନ ଲାଇନରେ ପକାଇ ଦୁର୍ଘଟଣା ରୂପ ଦେବାକୁ ଚେଷ୍ଟା କରିଥିଲା। ହେଲେ କୌଣସି କାରଣବଶଃତ ମୃତଦେହ ପକାଇ ପାରିନାହିଁ। ସୁରେଶର ସ୍ତ୍ରୀ ପରକୀୟା ପ୍ରୀତି ପାଇଁ ଘର ଛାଡି ପଳାଇଥିଲା। ସେ ତା ଶାଳକକୁ ଡାକିଥିଲା। ଉଭୟ ମିଶି କାମଦାମ କରିଥିଲେ। ଗତକାଲି ରାତିରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ସେତିକିବେଳେ ରାଗରେ ଶଳାକୁ ଭିଣୋଇ ହତ୍ୟା କରିଛି। ରିପୋର୍ଟ ହେବା ପରେ ମାମଲା ରୁଜୁ ସହ ତଦନ୍ତ ଆଗେଇବ। ପଥରରେ ଶଳାକୁ ଅଭିଯୁକ୍ତ ହତ୍ୟା କରିଛି ଜଣାପଡିଛି’’।
ମୃତ ପଠାଣିଙ୍କ ମଝିଆ ଭଉଣୀ କାବେରୀ ନାୟକ କହିଛନ୍ତି, ‘‘ମୁଁ ସୁନ୍ଦରପଦାରେ ରହୁଛି। ଭାଇ ପଠାଣି ପୁରୀରେ ରହି କାମ କରୁଥିଲା। ପରଦିନ ତାକୁ ସୁରେଶ ଡାକିଥିଲା। କାମକୁ ମଧ୍ୟ ନେଇଥିଲା। ସେଠାରୁ ପଇସା ଆଣି ମଦପାଣି ପି ତାକୁ ମାରିଦେଇଛି। ଆମର ଏକ ମାତ୍ର ଭାଇ ଚାଲିଗଲା। ସ୍ତ୍ରୀ (ଆମ ଭଉଣୀ ସେରତି)କୁ ସୁରେଶ ମାରଧର କରିବାରୁ ଆମେ ଆସି ତାକୁ ନେଇଯାଇଥିଲୁ’’ ।
ସେହିପରି ସୁରେଶକୁ ପୋଲିସ ଗିରଫ କରି କଠୋର ଦଣ୍ଡ ଦେଉ ବୋଲି ସାନ ଭଉଣୀ ଶାନ୍ତି ଭୋଇ ଦାବି କରିଛନ୍ତି।





