
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଓଡ଼ିଶା ସରକାର ଶିଳ୍ପାୟନ ଓ ଆର୍ଥôକ ବିକାଶ କ୍ଷେତ୍ରରେ ନିରନ୍ତର ଭାବେ ଅଗ୍ରଗତି କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୪୭ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ବୈଠକରେ ମୋଟ ୨୪ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି । ଏହି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ରାଜ୍ୟର ୧୪ଟି ଜିଲ୍ଲାରେ ୩,୭୯୩.୩୩ କୋଟି ଟଙ୍କାର ପୁଞ୍ଜିନିବେଶ ହେବା ସହ ୧୯,୯୨୪ଟି ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଅନୁମୋଦିତ ପ୍ରକଳ୍ପଗୁଡ଼ିକ ଖୋର୍ଦ୍ଧା, ଢେଙ୍କାନାଳ, ଝାରସୁଗୁଡ଼ା, କୋରାପୁଟ, ଯାଜପୁର, ସମ୍ବଲପୁର, କେନ୍ଦୁଝର, ବଲାଙ୍ଗୀର, ପୁରୀ, କଟକ, ସୁନ୍ଦରଗଡ଼, ଗଞ୍ଜାମ, ଜଗତସିଂହପୁର ଏବଂ ମୟୂରଭଞ୍ଜ ଜିଲ୍ଲାରେ କାର୍ଯ୍ୟକାରୀ ହୋଇ ଆଞ୍ଚଳିକ ସନ୍ତୁଳିତ ଶିଳ୍ପ ବିକାଶକୁ ପ୍ରୋତ୍ସାହିତ କରିବ । ଏହି ପ୍ରକଳ୍ପଗୁଡ଼ିକ ଇସ୍ପାତ ଓ ଧାତୁ-ଭିଭିକ ଡାଉନଷ୍ଟ୍ରିମ୍ ଶିଳ୍ପ, ନବୀକରଣଯୋଗ୍ୟ ଶକ୍ତି, ଉନ୍ନତ ସାମଗ୍ରୀ, ଇଲେକ୍ଟ୍ରୋନିକ୍ସ, ବୈଦୁ୍ୟତିକ ଯାନ ଉପକରଣ, ବସ୍ତ୍ର ଓ ପୋଷାକ ଶିଳ୍ପ, ପର୍ଯ୍ୟଟନ ଓ ଆତିଥେୟତା, ଲଜିଷ୍ଟିକ୍ସ, ଖାଦ୍ୟ ପ୍ରକ୍ରିୟାକରଣ, ଉପଭୋକ୍ତା ସାମଗ୍ରୀ ଏବଂ ରସାୟନ ଶିଳ୍ପ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ସହ ଜଡ଼ିତ ।
ପ୍ରମୁଖ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଢେଙ୍କାନାଳ ଜିଲ୍ଲାରେ ସିଇଏସସି ଗ୍ରିନ୍ ପାୱାର ଲିମିଟେଡ୍ ପକ୍ଷରୁ ୬୮୩.୮୩ କୋଟି ଟଙ୍କା ବିନିଯୋଗରେ ଏକ ବ୍ୟାଟେରି ଏନର୍ଜି ଷ୍ଟୋରେଜ୍ ସିଷ୍ଟମ୍ ପ୍ରକଳ୍ପ ସ୍ଥାପନ କରାଯିବ, ଯାହା ୧୫୩ ଜଣଙ୍କୁ ନିଯୁକ୍ତି ଦେବ । ଖୋର୍ଦ୍ଧା ଜିଲ୍ଲାରେ ଏଭିପି ଷ୍ଟାର ପ୍ରାଇଭେଟ ଲିମିଟେଡ୍ ୫୦୦ କୋଟି ଟଙ୍କା ବ୍ୟୟରେ ଏକ କୃତ୍ରିମ ହୀରା ଉତ୍ପାଦନ କାରଖାନା ସ୍ଥାପନ କରି ୫୦୦ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ବସ୍ତ୍ର ଓ ପୋଷାକ ଶିଳ୍ପ କ୍ଷେତ୍ରରେ ଖୋର୍ଦ୍ଧା ଜିଲ୍ଲାରେ ନନ୍ଦରାଜ ଟେକ୍ସଟାଇଲ୍ସ ପ୍ରାଇଭେଟ ଲିମିଟେଡ୍ ୧୬୮.୬୪ କୋଟି ଟଙ୍କା ବିନିଯୋଗରେ ଏକ ପୋଷାକ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ, ଯାହା ମାଧ୍ୟମରେ ସର୍ବାଧିକ ୧୦,୩୦୬ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ସେହିପରି ସାହି ଏକ୍ସପୋର୍ଟସ୍ ପ୍ରାଇଭେଟ ଲିମିଟେଡ୍ ସମ୍ବଲପୁରଠାରେ ୧୪୫.୫୦ କୋଟି ଟଙ୍କା ବିନିଯୋଗରେ ବୁଣା ପୋଷାକ ଉତ୍ପାଦନ ୟୁନିଟ୍ ସ୍ଥାପନ କରି ୧,୮୪୦ ଜଣଙ୍କୁ ଏବଂ ମା’ ତାରାତାରିଣୀ ଟେକ୍ସଟାଇଲ୍ ପାର୍କ ପ୍ରାଇଭେଟ୍ ଲିମିଟେଡ୍ ଗଞ୍ଜାମ ଜିଲ୍ଲାରେ ୭୦ କୋଟି ଟଙ୍କା ବିନିଯୋଗରେ ଏକ ସମନ୍ୱିତ ବସ୍ତ୍ର ଶିଳ୍ପ ପ୍ରକଳ୍ପ ପ୍ରତିଷ୍ଠା କରି ୩୫୦ ଜଣଙ୍କୁ ନିଯୁକ୍ତି ପ୍ରଦାନ କରିବ । ପର୍ଯ୍ୟଟନ ଓ ଆତିଥେୟତା କ୍ଷେତ୍ରରେ କୋରାପୁଟ ଜିଲ୍ଲାରେ ସ୍ୱସ୍ତି ପ୍ରିମିୟମ ଲିମିଟେଡ୍ ୨୫୦ କୋଟି ଟଙ୍କା ବିନିଯୋଗରେ ଏକ ପଞ୍ଚତାରକା ରିସୋର୍ଟ ନିର୍ମାଣ କରି ୪୮୦ ଜଣଙ୍କୁ, ଏସ୍ଏନ୍ଏମ୍ ହୋଟେଲ୍ ଆଣ୍ଡ ରିସୋର୍ଟ ପ୍ରାଇଭେଟ ଲିମିଟେଡ୍ ୧୩୩.୩୪ କୋଟି ଟଙ୍କା ବିନିଯୋଗରେ ଏକ ରିସର୍ଟ ନିର୍ମାଣ କରି ୧୭୩ ଜଣଙ୍କୁ ଏବଂ ପ୍ରତ୍ୟକ୍ଷ ହୋଟେଲ ଆଣ୍ଡ ରିସୋର୍ଟ ପ୍ରାଇଭେଟ ଲିମିଟେଡ୍ ୭୦ କୋଟି ଟଙ୍କା ବିନିଯୋଗରେ ଅନ୍ୟ ଏକ ରିସର୍ଟ ସ୍ଥାପନ କରି ୧୭୦ ଜଣଙ୍କୁ ନିଯୁକ୍ତି ଦେବେ । କେନ୍ଦୁଝର ଜିଲ୍ଲାରେ ଶ୍ରୀ ଇକୋ ରିସୋର୍ଟ ୧୦୫.୬୦ କୋଟି ଟଙ୍କା ବ୍ୟୟରେ ଏକ ଇକୋ-ରିସର୍ଟ ଓ ଜଳ ମନୋରଞ୍ଜନ ପାର୍କ ନିର୍ମାଣ କରି ୨୪୦ ଜଣଙ୍କୁ ଏବଂ ମୟୂରଭଞ୍ଜ ଜିଲ୍ଲାରେ ପ୍ରାଚୀ ଏଣ୍ଟରପ୍ରାଇଜର୍ସ ୫୨ କୋଟି ଟଙ୍କା ବିନିଯୋଗରେ ସଦୃଶ ପ୍ରକଳ୍ପ ସ୍ଥାପନ କରି ୧୫୦ ଜଣଙ୍କୁ ନିଯୁକ୍ତି ଦେବେ । ଏହାବାଦ୍ ପୁରୀରେ ଶୈଳବାଳା ଇନଫ୍ରାଷ୍ଟ୍ରକ୍ଚର୍ ପକ୍ଷରୁ ୯୨.୮୦ କୋଟି ଟଙ୍କାରେ ରିସର୍ଟ ସ୍ଥାପନ କରି ୧୭୦ ନିଯୁକ୍ତି, ଜଗତସିଂହପୁରରେ ସୂର୍ଯେ୍ୟା ଉଦ୍ୟୋଗ ପକ୍ଷରୁ ୭୦ କୋଟି ଟଙ୍କାରେ ଚାରିତାରକା ହୋଟେଲ (୨୪୦ ନିଯୁକ୍ତି) ଏବଂ ସୁନ୍ଦରଗଡ଼ରେ ଲେହର୍ସ ଏକ୍ସପୋର୍ଟସ୍ ସର୍ଭିସେସେ ପକ୍ଷରୁ ୬୦ କୋଟି ଟଙ୍କା ବିନିଯୋଗରେ ଏକ ରିସର୍ଟ (୨୦୦ ନିଯୁକ୍ତି) ସ୍ଥାପନ କରାଯିବ । ଇସ୍ପାତ ଓ ଡାଉନଷ୍ଟ୍ରିମ୍ କ୍ଷେତ୍ରରେ ଯାଜପୁର ଜିଲ୍ଲାରେ ଜେଏସଡବ୍ଲୁସିଭରଫିଲ୍ଡସ୍ ଷ୍ଟ୍ରକଚର୍ସ ଲିମିଟେଡ୍ ୨୧୫ କୋଟି ଟଙ୍କାରେ ଏକ ଇସ୍ପାତ ଫ୍ୟାବ୍ରିକେସନ୍ ୟୁନିଟ୍ ସ୍ଥାପନ କରି ୧,୪୦୦ ଜଣଙ୍କୁ ନିଯୁକ୍ତି ଦେବ । ଝାରସୁଗୁଡ଼ାରେ କୋଶାଲ ସେରାମିକ୍ସ ପ୍ରାଇଭେଟ ଲିମିଟେଡ୍ ୨୭୫.୦୭ କୋଟି ଟଙ୍କାରେ ରିଫ୍ରାକ୍ଟୋରି ଇଟା କାରଖାନାର ସମ୍ପ୍ରସାରଣ କରି ୧,୦୦୦ ନିଯୁକ୍ତି ଏବଂ ସୁନ୍ଦରଗଡ଼ରେ ଏନଭିରୋକେୟାର ଇନଫ୍ରାସୁ୍ୟସନ ପ୍ରାଇଭେଟ ଲିମିଟେଡ୍ ୮୧ କୋଟି ଟଙ୍କା ବ୍ୟୟରେ ରଙ୍ଗ-ଆବୃତ ଇସ୍ପାତ ସିଟ୍ ଉତ୍ପାଦନ ୟୁନିଟ୍ ସ୍ଥାପନ କରି ୫୦୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବେ । ଖୋର୍ଦ୍ଧାରେ ବିଷ୍ଣୁ ଷ୍ଟିଲ ପକ୍ଷରୁ ୫୧.୮୩ କୋଟି ଟଙ୍କାରେ ଷ୍ଟେନଲେସ୍ ଷ୍ଟିଲ୍ ପାଇପ୍ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା କରାଯାଇ ୯୦ ଜଣଙ୍କୁ ନିଯୁକ୍ତି ଦିଆଯିବ । ଲଜିଷ୍ଟିକ୍ସ କ୍ଷେତ୍ରରେ ସମ୍ବଲପୁରରେ ଏମ୍ ଏସ୍ ଇନଫ୍ରା ଇଞ୍ଜିନିୟର୍ସ ପ୍ରାଇଭେଟ ଲିମିଟେଡ୍ ୧୧୨.୫୨ କୋଟି ଟଙ୍କାରେ ଲଜିଷ୍ଟିକ୍ ପାର୍କ (୫୦୦ ନିଯୁକ୍ତି) ଏବଂ ବଲାଙ୍ଗୀରରେ ଇନେକ୍ସ ଇକୋ ଲଜିଷ୍ଟିକ୍ସ ୧୦୩.୨୦ କୋଟି ଟଙ୍କା ବିନିଯୋଗରେ ଗୋଦାମ ଭିତ୍ତିଭୂମି (୨୨୫ ନିଯୁକ୍ତି) ବିକାଶ କରିବେ । ଖାଦ୍ୟ ପ୍ରକ୍ରିୟାକରଣ ଓ ଉପଭୋକ୍ତା ସାମଗ୍ରୀ କ୍ଷେତ୍ରରେ ଖୋର୍ଦ୍ଧା ଜିଲ୍ଲାରେ ହିନ୍ଦୁସ୍ଥାନ କୋକା-କୋଲା ବିଭରେଜେସ୍ ପ୍ରାଇଭେଟ ଲିମିଟେଡ୍ ୩୦୦ କୋଟି ଟଙ୍କା ବିନିଯୋଗରେ କାର୍ବୋନେଟେଡ୍ ପାନୀୟ ଉତ୍ପାଦନ କ୍ଷମତାର ସମ୍ପ୍ରସାରଣ କରି ୯୯୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏହାବାଦ୍ ଖୋର୍ଦ୍ଧାରେ ଲିଥ୍ରୋସ୍ ବ୍ୟାଟେରିଜ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ୬୦ କୋଟି ଟଙ୍କାରେ ବୈଦୁ୍ୟତିକ ଯାନ ବ୍ୟାଟେରି ଓ ଇନଭର୍ଟର ୟୁନିଟ୍ (୩୫୦ ନିଯୁକ୍ତି), ଜସ୍ପର ଇକୋ ପ୍ରଡକ୍ଟ ପ୍ରାଇଭେଟ ଲିମିଟେଡ୍ ୫୧ କୋଟି ଟଙ୍କାରେ କୋରୁଗେଟେଡ୍ ବକ୍ସ ଉତ୍ପାଦନ ୟୁନିଟ୍ (୧୦୦ ନିଯୁକ୍ତି) ଏବଂ ଏକାଂଶ ଆଗ୍ରୋ ଫୁଡ୍ ପ୍ରଡକ୍ଟସ୍ ପ୍ରାଇଭେଟ ଲିମିଟେଡ୍ ୫୦ କୋଟି ଟଙ୍କା ବିନିଯୋଗରେ ଏକ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ (୩୭୦ ନିଯୁକ୍ତି) ସ୍ଥାପନ କରିବେ । କଟକ ଜିଲ୍ଲାରେ ଜୟ ଭବାନୀ ଫୁଡ୍ ପକ୍ଷରୁ ୧୨ କୋଟି ଟଙ୍କା ବିନିଯୋଗରେ ଏକ ସାବୁନ୍ ଖଣ୍ଡ ଉତ୍ପାଦନ ୟୁନିଟ୍ ସ୍ଥାପନ କରାଯାଇ ୩୦୦ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯିବ । ସିଙ୍ଗଲ୍ ୱିଣ୍ଡୋ ବ୍ୟବସ୍ଥାର ଏହି ସମୟବଦ୍ଧ ଅନୁମୋଦନ ରାଜ୍ୟରେ ବ୍ୟବସାୟିକ ଅନୁକୂଳ ପରିବେଶକୁ ସୁଦୃଢ଼ କରିବା ସହ ‘ବିକଶିତ ଓଡ଼ିଶା-୨୦୩୬’ର ଲକ୍ଷ୍ୟ ହାସଲ ଦିଗରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ।


