
ଭୁବନେଶ୍ୱର: ମହିଳାଙ୍କୁ ଦୁଷ୍କର୍ମ ଘଟଣାରେ ନୟାଗଡ଼ ଜିଲା ଶରଣକୁଳ ଥାନାର ପୂର୍ବତନ ଥାନା ଅଧିକାରୀ (ଆଇଆଇସି) ସୁଜିତ କୁମାର ଦାସଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଶ୍ରୀ ଦାସଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ତାଙ୍କ ବିରୋଧରେ କର୍ତ୍ତବ୍ୟରତ ଅବସ୍ଥାରେ ପୁଲିସ ଅଧିକାରୀଙ୍କ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ଓ ଆଚରଣ ବିଧିର ଉଲ୍ଲଙ୍ଘନ କରିଥିବା ନେଇ ଅଭିଯୋଗ ରହିଥିଲା। ନିଜର ଦାୟିତ୍ୱ ତୁଲାଇବାରେ ସେ ଗୁରୁତର ଅବହେଳା ପ୍ରଦର୍ଶନ କରିଥିବା ସରକାରୀ ନିର୍ଦେଶରେ ଉଲ୍ଲେଖ ରହିଛି। ଜନସାଧାରଣଙ୍କ ସେବା ଏବଂ ପ୍ରଶାସନିକ ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି ଏହି କଠୋର ପଦକ୍ଷେପ ନିଆଯାଇଥିବା ପୁଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ସୂଚନାଯୋଗ୍ୟ, ଶରଣକୁଳ ଥାନା ଅଞ୍ଚଳର ପୀଡ଼ିତାଙ୍କ ପରିବାର ଓ ଗାଁ ମଧ୍ୟରେ ବିବାଦ ଦେଖା ଦେଇଥିଲା। ଏନେଇ ପୀଡ଼ିତା ଓ ତାଙ୍କ ପରିବାର ନାମରେ ଥାନାରେ ମାମଲା ହୋଇଥିଲା। ଥାନା ଅଧିକାରୀ
ସୁଜିତ କୁମାର ଦାସ ମାମଲାରେ ସହଯୋଗ କରିବାକୁ କହି ପୀଡ଼ିତାଙ୍କ ଫୋନ ନମ୍ବର ନେଇଥିଲେ। ପରେ ତାଙ୍କୁ ଭିଡିଓ କଲ, ଅଶ୍ଳୀଳ ମେସେଜ, ଫଟୋ ଓ ଅଶ୍ଳୀଳ କଥା କହିଥିବା ପୀଡ଼ିତା ଅଭିଯୋଗ ଆଣିଥିଲେ। ଏପରିକି, ଥାନାଧିକାରୀ ତାଙ୍କ ଭଡ଼ାଘରକୁ ଡାକି ଦୁଷ୍କର୍ମ କରିଥିବା ପୀଡ଼ିତା ନୟାଗଡ଼ ଏସ୍ପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଶ୍ରୀ ଦାସ ବର୍ତ୍ତମାନ ନୟାଗଡ଼ ଜିଲା ପୁଲିସ କାର୍ଯ୍ୟାଳୟ (ଡିପିଓ)ରେ ସଂଲଗ୍ନ ଥିଲେ। ନିଲମ୍ବନ ଅବଧିରେ ସେ କଟକସ୍ଥିତ ଆଇ.ଜି (ସିଆର୍)ଙ୍କ ପ୍ରତ୍ୟକ୍ଷ ଶୃଙ୍ଖଳାଗତ ନିୟନ୍ତ୍ରଣରେ ରହିବେ।


