
ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଅଧୀନ ସମସ୍ତ ପ୍ରତିଷ୍ଠାନରେ କାର୍ଯ୍ୟରତ ଶ୍ରମିକଙ୍କ ପାଇଁ ସର୍ବନିମ୍ନ ମଞ୍ଜୁରି ହାର ସଂଶୋଧନ ହୋଇଛି । ଅକ୍ଟୋବର ୧ଠାରୁ ଏହି ସଂଶୋଧିତ ମଜୁରି ହାର ଲାଗୁ ହୋଇଛି । ଶ୍ରମ ଓ ନିଯୁକ୍ତି ମନ୍ତ୍ରାଳୟ ପକ୍ଷରୁ ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଉପ ମୁଖ୍ୟ ଶ୍ରମ ଆୟୁକ୍ତ ଏନେଇ ସୂଚନା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଅଧୀନ ଖଣି, କୃଷି, ନିର୍ମାଣ ଆଦି ବିଭିନ୍ନ କ୍ଷେତ୍ରରେ କାମ କରୁଥିବା ଅଣକୁଶଳୀ, ଅର୍ଦ୍ଧ କୁଶଳୀ, କୁଶଳୀ ଏବଂ ଉଚ୍ଚ କୁଶଳୀ ଶ୍ରମିକଙ୍କ ପାଇଁ ଏହି ନୂତନ ମଜୁରି ହାର ଲାଗୁ ହେବ ।
ଜାରି ହୋଇଥିବା ନୂତନ ମଜୁରି ତାଲିକା ଅନୁଯାୟୀ, ଭୁବନେଶ୍ୱର, କଟକ ଓ ରାଉରକେଲାକୁ ‘ବି ଅଞ୍ଚଳ’ ଏବଂ ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକୁ ‘ସି ଅଞ୍ଚଳ’ ଦର୍ଶାଯାଇଛି । ଏହି ବର୍ଗୀକରଣ ଅନୁଯାୟୀ ମଜୁରୀ ହାର ଭିନ୍ନ ଭିନ୍ନ ରହିଛି । ଏହି କ୍ରମରେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଅଣକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରି “ବି’ ଅଞ୍ଚଳରେ ୪୩୭ ଟଙ୍କାରୁ ବୃଦ୍ଧି ପାଇ ୭୦୪ ଟଙ୍କା ଏବଂ “ସି’ ଅଞ୍ଚଳରେ ଏହା ୩୫୦ରୁ ୫୬୫ ଟଙ୍କାକୁ ବଢିଛି । ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ପାଇଁ ଏହା ଯଥାକ୍ରମେ ୯୪୪ରୁ ୭୯୪ ଟଙ୍କା ଏବଂ ୪୧୦ରୁ ୬୬୧ ଟଙ୍କା ହୋଇଛି । ‘ବି’ ଅଞ୍ଚଳର କୁଶଳୀ ଶ୍ରମିକଙ୍କ ପାଇଁ ୫୭୯ରୁ ୯୩୩ ଟଙ୍କା ଓ ‘ସି’ ଅଞ୍ଚଳ ପାଇଁ ୪୯୪ରୁ ୭୯୪ ଟଙ୍କା ନିର୍ଦ୍ଧାରିତ ହୋଇଛି । ଅତି କୁଶଳୀ ଶ୍ରମିକଙ୍କ ପାଇଁ ଏହା ଯଥାକ୍ରମେ ୬୩୭ରୁ ୧,୦୨୪ ଟଙ୍କା ଏବଂ ୫୭୯ରୁ ବୃଦ୍ଧି ପାଇ ୯୩୩ ଟଙ୍କା ଧାର୍ଯ୍ୟ କରାଯାଇଛି ।
ସେହିପରି ଲୋଡିଂ ଓ ଅନଲୋଡିଂ ଏବଂ ସଫେଇ କାର୍ଯ୍ୟରେ ନିୟୋଜିତ ଶ୍ରମିକଙ୍କ ପାଇଁ “ବି’ ଅଞ୍ଚଳରେ ଦୈନିକ ୭୦୪ ଟଙ୍କା ଓ “ସି’ ଅଞ୍ଚଳରେ ୫୬୫ ଟଙ୍କା ମଜୁରି ଉଲ୍ଲେଖ ରହିଛି । ଅସ୍ତ୍ରବିହୀନ ସୁରକ୍ଷା କର୍ମୀଙ୍କ ପାଇଁ ଏହା ଯଥାକ୍ରମେ ୯୩୩ ଟଙ୍କା ଓ ୭୯୪ ଟଙ୍କା ଏବଂ ସଶସ୍ତ୍ର ସୁରକ୍ଷା କର୍ମୀଙ୍କ ପାଇଁ ଦୈନିକ ମଜୁରି ୧,୦୨୪ ଟଙ୍କା ଓ ୯୩୩ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହାବ୍ୟତୀତ, କୃଷି କ୍ଷେତ୍ରରେ ଶ୍ରମିକଙ୍କ ଦୈନିକ ମଜୁରି ମଧ୍ୟ ଅଞ୍ଚଳ ଓ ଦକ୍ଷତା ଅନୁଯାୟୀ ନିର୍ଦ୍ଧାରିତ ହୋଇଛି । “ବି’ ଅଞ୍ଚଳରେ ଅଣକୁଶଳୀ ଶ୍ରମିକଙ୍କ ପାଇଁ ୪୯୧ ଟଙ୍କା ଓ “ସି’ ଅଞ୍ଚଳରେ ୪୮୬ ଟଙ୍କା ରହିଛି । ଏହିକ୍ରମରେ ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ପାଇଁ ୫୩୯ ଟଙ୍କା ଏବଂ ୪୯୬ ଟଙ୍କା, କୁଶଳୀ ଶ୍ରମିକଙ୍କ ଲାଗି ୫୮୭ ଏବଂ ୫୩୮ ଟଙ୍କା ଏବଂ ଉଚ୍ଚ କୁଶଳୀ ଶ୍ରମିକଙ୍କ ପାଇଁ ୬୫୫ ଏବଂ ୫୮୭ ଟଙ୍କା ଦୈନିକ ମଜୁରି ନିର୍ଦ୍ଧାରିତ ହୋଇଛି । ଅନ୍ୟପକ୍ଷରେ, ଖଣି କ୍ଷେତ୍ରରେ ଭୂପୃଷ୍ଠ ଉପରେ ଓ ଭୂପୃଷ୍ଠ ତଳେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ପାଇଁ ଭିନ୍ନ ଭିନ୍ନ ମଜୁରି ହାର ଧାର୍ଯ୍ୟ କରାଯାଇଛି ।





