
ରାଇକିଆ: କନ୍ଧମାଳ ଜିଲା ରାଇକିଆସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ସୁପୋଷିତ ଓଡ଼ିଶା ମିଶନ୍ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିଶୁ ଓ ମହିଳାଙ୍କ ମଧ୍ୟରେ କୁପୋଷଣ ଦୂରୀକରଣ ତଥା ସୁସ୍ଥ ସମାଜ ଗଠନ ଉଦ୍ଦେଶ୍ୟରେ ଏହି ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁପୋଷଣ ଦୂରୀକରଣ କ୍ଷେତ୍ରରେ ଏହାକୁ ଏକ ନୂତନ ପ୍ରୟାସ ଭାବେ ଗ୍ରହଣ କରାଯାଇଛି। ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ର ଛାତ୍ରୀଛାତ୍ରମାନେ ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ର ଅଞ୍ଚଳରେ ସର୍ଭେ କରି କୁପୋଷିତ ଶିଶୁ ଓ ମହିଳାଙ୍କ ସମ୍ପର୍କିତ ତଥ୍ୟ ସଂଗ୍ରହ କରିବେ। ସଂଗୃହୀତ ତଥ୍ୟ ସରକାରଙ୍କୁ ପ୍ରଦାନ କରାଯାଇ କୁପୋଷଣ ଦୂରୀକରଣ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ।ରାଜ୍ୟରୁ କୁପୋଷଣ ସମସ୍ୟା ଦୂର କରିବା ଲକ୍ଷ୍ୟରେ ୨୦୨୯ ସୁଦ୍ଧା ଏହି ଅଭିଯାନକୁ ଅଧିକ ବ୍ୟାପକ କରିବା ଉପରେ ଆଲୋଚନା ହୋଇଥିଲା। ତାଲିମ ମାଧ୍ୟମରେ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀମାନଙ୍କୁ ସର୍ଭେ, ତଥ୍ୟ ସଂଗ୍ରହ ଓ କୁପୋଷଣ ସମ୍ପର୍କିତ ସଚେତନତା ନେଇ ଆବଶ୍ୟକ ମାର୍ଗଦର୍ଶନ ଦିଆଯାଇଥିଲା।ବରିଷ୍ଠ ଅଧ୍ୟାପକ ଦିଲୀପ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ତାଲିମ କାର୍ଯ୍ୟକ୍ରମକୁ ଅଧ୍ୟାପକ ବେଣୁପାଣି ମହାପାତ୍ର ପରିଚାଳନା କରିଥିଲେ। ସିଡିପିଓ ସଞ୍ଜୁକ୍ତା ରାଣୀ ମହାପାତ୍ର ଓ ସୁପରଭାଇଜର ଉଷାରାଣୀ ସାହୁ ଅତିଥି ଭାବେ ଯୋଗଦେଇ ସୁପୋଷଣ, ଶିଶୁ ଓ ମହିଳାଙ୍କ ପୁଷ୍ଟି ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ।କାର୍ଯ୍ୟକ୍ରମର ସଂଯୋଜିକା ଫିର୍ଦୋଶୀ ପ୍ରଧାନ ଆୟୋଜନରେ ସହଯୋଗ କରିଥିବାବେଳେ ଶେଷରେ ସେ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟର ଅଧ୍ୟାପିକା ଗୀତାଞ୍ଜଳି ଗନ୍ତାୟତ, ଦିବ୍ୟଜ୍ୟୋତି ମଲ୍ଲିକ ଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ,ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ଉପସ୍ଥିତ ଥିଲେ।
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା




