
କାଠମାଣ୍ଡୁ : ନେପାଳର ଏଭରେଷ୍ଟ ବେସ୍ କ୍ୟାମ୍ପରେ ଭୟଙ୍କର ଦୁର୍ଘଟଣା । ଦୁଇ ହେଲିକପ୍ଟର ପରସ୍ପର ସହ ଧକ୍କା । ଏହି ଦୁର୍ଘଟଣାରେ ଜଣେ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଫିସଟେଲ୍ ଏୟାର ଏବଂ ଏୟାର ଡାଇନେଷ୍ଟି କମ୍ପାନୀର ଦୁଇଟି ହେଲିକପ୍ଟର ଧକ୍କା ହୋଇଥିବା ନେପାଳ ପୁଲିସ ଅଧିକାରୀ ମୌସମ୍ ତମାଙ୍ଗ ସୂଚନା ଦେଇଛନ୍ତି ।
ପ୍ରାଥମିକ ସୂଚନା ଅଣୁଯାୟୀ, ନେପାଳର ଏଭରେଷ୍ଟ ବେସ୍ କ୍ୟାମ୍ପରେ ମଙ୍ଗଳବାର ସକାଳ ପ୍ରାୟ ୮ଟା ୧୧ରେ ଲ୍ୟାଣ୍ଡିଂ କରିବା ସମୟରେ ଦୁଇଟି ହେଲିକପ୍ଟର ପରସ୍ପର ସହ ଧକ୍କା ହୋଇଛନ୍ତି । ସୋଲୁଖୁମ୍ବୁ ଜିଲ୍ଲାର ଖୁମ୍ବୁ ପାସାଙ୍ଗ ଲାମୁ ପୌରପାଳିକାର ୪ ନମ୍ଵର ୱାର୍ଡ ସ୍ଥିତ ଫେରେଚେରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ମୃତକ ଜଣଙ୍କ ହେଲେ ବଳରାମରାମାଡୁର ବସନ୍ତ କୁମାର । ସେ ଫିସଟେଲ୍ ଏୟାର ହେଲିକପ୍ଟରରେ ସବାର ଥିଲେ । ସେହିପରି ଗୁରୁତର ଆହତ ଜଣଙ୍କ ହେଲେ ୪୯ ବର୍ଷୀୟ ଶୈଳେଶ କୃଷ୍ଣ ପଟେଲ । ତାଙ୍କୁ ଏୟାରଲିଫ୍ଟ କରାଯାଇ କାଠମାଣ୍ଡୁର ମେଡିସିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଏହି ଦୁର୍ଘଟଣାରେ ନେପାଳୀ ପାଇଲଟ ରବୀନ୍ଦ୍ର ପ୍ରଜାପତି ଏବଂ ପ୍ରଜ୍ଵଳ କେସି ମଧ୍ୟ ଆହତ ହୋଇଛନ୍ତି । ଦୁହିଁଙ୍କୁ ଚିକିତ୍ସା ପାଇଁ କାଠମାଣ୍ଡୁ ନିଆଯାଇଛି । ଦୁର୍ଘଟଣା ଘଟିଥିବା ଦୁଇ ହେଲିକପ୍ଟରରେ କେତେଜଣ ଯାତ୍ରୀ ଥିଲେ ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।




