
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଠାରୁ ୩ ଦିନିଆ ଫିଲିପାଇନ୍ସ ଗସ୍ତରେ ଯିବେ । ଫିଲିପାଇନ୍ସ ରାଷ୍ଟ୍ରପତି ଫର୍ଡିନାଣ୍ଡ ମାର୍କୋସ ଜୁନିଅରଙ୍କ ପକ୍ଷରୁ ଆୟୋଜିତ ରାତ୍ରୀ ଭୋଜନରେ ସାମିଲ ହେବେ।ରାଜଧାନୀ ମାନିଲା ଠାରେ ୧୭ ତାରିଖରେ ଆୟୋଜିତ ହେବାକୁ ଥିବା ୨୩ତମ ଭାରତ-ଆସିଆନ ଶିଖର ସମ୍ମିଳନୀ ଏବଂ ୨୧ତମ ପୂର୍ବ ଏସିଆ ସମ୍ମିଳନୀରେ ମୋଦୀ ଯୋଗଦେବେ। ଚଳିତବର୍ଷର ଭାରତ-ଆସିଆନ ସମ୍ମିଳନୀର ବିଷୟବସ୍ତୁ ରହିଛି ନାଭିଗେଟିଂ ଫ୍ୟୁଚର ( ଭବିଷ୍ୟତ ମାର୍ଗନିର୍ଦ୍ଦେଶନ କରିବା)। ସାମୁଦ୍ରିକ ସୁରକ୍ଷା, ଆର୍ଥିକ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ବୈଠକରେ ବ୍ୟାପକ ଆଲୋଚନା ହେବ ।
ଏଥିସହ ଭାରତ-ପ୍ରଶାନ୍ତ କ୍ଷେତ୍ରର ନୌପରିବହନ ଓ ସାମୁଦ୍ରିକ ସହଯୋଗ ନେଇ ପ୍ରଧାନମନ୍ତ୍ରୀ ମୋଦୀ ସଦସ୍ୟ ରାଷ୍ଟ୍ରର ନେତାମାନଙ୍କ ସହିତ ଆଲୋଚନା କରିବେ। ଏହି ଅବସରରେ ମୋଦି ବିଭିନ୍ନ ସଦସ୍ୟ ରାଷ୍ଟ୍ରର ନେତାମାନଙ୍କ ସହ ଦ୍ବିପାକ୍ଷିକ ବୈଠକ କରିବେ। ମାନିଲାରେ ପ୍ରବାସୀ ଭାରତୀୟଙ୍କୁ ମୋଦୀ ଭେଟିବା ସହ ସେମାନଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି ।





