
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ମନ୍ତ୍ରୀ ପରିଷଦ ବୈଠକ ପରେ ଅନୁଷ୍ଠିତ ହୋଇଛି ମନ୍ତ୍ରୀ ମଣ୍ଡଳ ବୈଠକ । ମନ୍ତ୍ରୀ ପରିଷଦ ବୈଠକରେ ଆସନ୍ତା ବିଧାନସଭା ଅଧିବେଶନରେ ଆସିବାକୁ ଥିବା ଅତିରିକ୍ତ ବଜେଟକୁ ମଞ୍ଜୁରୀ ମିଳିଛି । ସେହିପରି ୧୦ ବିଭାଗର ୧୩ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି କ୍ୟାବିନେଟ ।
ନୂଆପଡ଼ା ଜିଲ୍ଲାରେ ଜଳସେଚନ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ୨୮୯.୬୮ କୋଟି ଟଙ୍କା ବ୍ୟୟରେ ୭ଟି ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଛି । ବୋଡେନ, ବୋରିଗାଁ, ଖଇରମାଲ, ଲାସୁନପାଲି, ଗଣ୍ଡାବାହାଲି, ଚୌରା ଓ କୋନାବିରାରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏହା ଦ୍ୱାରା ୩ଟି ବ୍ଲକ୍ର ୫୯ଟି ଗାଁର ୮,୮୦୦ ହେକ୍ଟର ଜମିକୁ ଅତିରିକ୍ତ ଜଳସେଚନ ସୁବିଧା ମିଳିବ । ଉଦନ୍ତୀ ନଦୀ ଓ ଲୋୟର ଇନ୍ଦ୍ର ଜଳଭଣ୍ଡାରରୁ ଜଳ ଉତ୍ତୋଳନ କରାଯାଇ ଚାଷଜମିକୁ ପାଇପ ଯୋଗେ ଜଳ ଯୋଗାଣ କରାଯିବ । ୩୬ ମାସ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ ହେବ । ଏହା ଦ୍ୱାରା ଚାଷୀଙ୍କ ବର୍ଷା ଉପରେ ନିର୍ଭରଶୀଳତା କମିବା ସହ କୃଷି ଉତ୍ପାଦନ ବୃଦ୍ଧି ପାଇବ ।




