
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ୭ଟି ବିଭାଗର ୧୩ଟି ପ୍ରସ୍ତାବ ଅନୁମୋଦନ ହୋଇଛି । ଆସନ୍ତା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି କ୍ୟାବିନେଟ କେତେକ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛି । ସେଥିରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସର୍ବାଧିକ ୭ଟି ପ୍ରସ୍ତାବ ପାରିତ ହୋଇଛି । ସେହିପରି ଜଳ ସମ୍ପଦ ବିଭାଗର ୧ଟି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ୧ଟି, ସମବାୟ ୧ଟି, କୃଷି ଓ କୃଷକ ସଶକ୍ତି କରଣ ୧, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ୧, ରାଜସ୍ବ ୧ ପ୍ରସ୍ତାବ କ୍ୟାବିନେଟରେ ଅନୁମୋଦିତ ହୋଇଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟର ନିଷ୍ପତ୍ତି ବାବଦରେ ସୂଚନା ଦେଇଛନ୍ତି ।
ଓଡ଼ିଶା କୃଷି ବିପଣନ ଆଇନ, ୧୯୫୬ ରଦ୍ଦ ହୋଇଛି । ଏକ ନୂତନ କୃଷି ଓ ପଶୁ ସମ୍ପଦ ବିପଣନ ଆଇନ ପ୍ରଣୟନ ପାଇଁ ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି । ୧୯୫୭ ମସିହାରୁ ବଳବତ୍ତର ଥିବା OAPM ଆଇନ, ଚାଷୀଙ୍କୁ ଶୋଷଣରୁ ରକ୍ଷା ଓ ଉଚିତ ମୂଲ୍ୟ ନିର୍ଧାରଣ ସୁନିଶ୍ଚିତ କରିବା ପାଇଁ ପ୍ରଣୟନ ହୋଇଥିଲା । ବିଗତ ବର୍ଷରେ ପ୍ରଚଳିତ ବଜାର ବ୍ୟବସ୍ଥା କେତେକାଂଶରେ ସୀମିତ ଏବଂ ଏକାଧ୍ୟାକାରଭିତ୍ତିକ ହୋଇଛି । ଏହା ଫଳରେ ପ୍ରତିଯୋଗିତା ଓ ବେସରକାରୀ ପୁଞ୍ଜିନିବେଶ ବାଧାପ୍ରାପ୍ତ ହେବା ସହ ଅପାରଗତା, ନିମ୍ନମାନର ଭିତ୍ତିଭୂମି ଏବଂ ଚାଷୀ ପାଉଥିବା ମୂଲ୍ୟ ଓ ଗ୍ରାହକ ଦେଉଥିବା ମୂଲ୍ୟ ମଧ୍ଯରେ ଏକ ବଡ଼ ବ୍ୟବଧାନ ଦେଖାଦେଉଛି । ଆଧୁନିକ ବଜାରର ଆବଶ୍ୟକତା ଓ ଜାତୀୟ ସ୍ତରର ସର୍ବୋତ୍ତମ ଅଭ୍ୟାସ ଅନୁଯାୟୀ କୃଷି ବିପଣନ ବ୍ୟବସ୍ଥାରେ ସଂସ୍କାର ଆଣି ଏହିସବୁ ଆହ୍ବାନର ସମାଧାନ କରିବା ଏହି ପ୍ରସ୍ତାବିତ ଆଇନର ମୂଳ ଲକ୍ଷ୍ୟ । ଚାଷୀଙ୍କୁ ଉତ୍ପାଦ ବିକ୍ରୟ ପାଇଁ ଅଧିକ ସ୍ବାଧୀନତା ମିଳିବ । ଉତ୍ପାଦର ଉଚିତ ମୂଲ୍ୟ ପାଇପାରିବେ । କୃଷି ବଜାରରେ ପ୍ରତିଯୋଗିତା, ସ୍ବଚ୍ଛତା ଏବଂ ଦକ୍ଷତା ବୃଦ୍ଧି ପାଇବ । କାରବାର ଖର୍ଚ୍ଚ ହ୍ରାସ ପାଇବ ଓ ମଧ୍ୟସ୍ଥିଙ୍କ ସଂଖ୍ୟା କମିବ । ଭିତ୍ତିଭୂମି ଓ ପରିବହନ ବ୍ୟବସ୍ଥାରେ ଉନ୍ନତି ଆସିବା ସହ ଅମଳ ପରବର୍ତ୍ତୀ କ୍ଷତି କମିବ । ଏହା ଦ୍ବାରା ରାଜ୍ୟର କୃଷକ ମାନେ ବହୁଳ ଭାବରେ ଉପକୃତ ହେବେ ।




