
ପୁରୀ: ରଥ ନିର୍ମାଣର ୪୫ ତମ ଦିବସରେ ରଥ ନିର୍ମାଣକାରୀ ସେବକ ମାନେ ରଥ ଖଳା ଠାରେ ସକାଳ ଘ.୮.୦୦ ଟିକା ପୂର୍ବରୁ ଉପସ୍ଥିତ ପୂର୍ବକ ଉପସ୍ଥାନ ଦେଇ ମୁଖ୍ୟ ମହାରଣାଙ୍କ ମାର୍ଗ ଦର୍ଶନ ପ୍ରକାରେ ରଥ ନିର୍ମାଣ କାର୍ଯ୍ୟ କରିଥିଲେ ଆରମ୍ଭ କରିଥିଲେ। ଆଜି ରଥ ନିର୍ମାଣ ରେ ତିନିରଥ ମହାରଣା ସେବକ ୭୮ ଜଣ, ଭୋଇ ସେବକ ୭୭ ଜଣ, କରତୀ ସେବକ ୪ ଜଣ, ତିନି ରଥ କମାର ସେବକ ୨୦ ଜଣ, ତୁମ୍ବ ବିନ୍ଧ କାରିଗର ୨ ଜଣ, ପାହି ମହାରଣା ୨ ଜଣ, ରୂପକାର ସେବକ ୨୧ ଜଣ, ରଥ ଖଳା ସହାୟକ(ପାଣି ବାଲା) ଜଣେ ରଥଖଳା ରଥ ନିର୍ମାଣ କାର୍ଯ୍ୟରେ ମୋଟ ୨୦୫ ଜଣ ଯୋଗ ଦେଇଥିଲେ।
ଗତକାଲି ତିନିରଥର ଚକ – ଅଖ ଥାକ ସହ ଦିଗ ନିର୍ଣ୍ଣୟ କାର୍ଯ୍ୟ ତିନିରଥ ମୁଖ୍ୟ ମହାରଣା, ସହଯୋଗୀ ମହାରଣା ଏବଂ ଭୋଇ ସେବକ ମାନଙ୍କ ସହାୟତାରେ ଶେଷ ହେଇଥିଲା।
ଗତକାଲି ତିନିରଥର ଅନୁକୂଳ ପୂଜା ପୂର୍ବକ ତିନିରଥର ଦାଣ୍ଡରେ କଣ୍ଟା ବାଡ଼ିଆ କାର୍ଯ୍ୟ ଶେଷ ହେବାପରେ ତିନିରଥ ଆଗା ଆଣି ଏବଂ ପଛ ଆଣି ଗରଗରା ପଡ଼ି କଣ୍ଟା ବାଡ଼ିଆ କାର୍ଯ୍ୟ ଶେଷ ହୋଇଥିଲା।
ଆଜି ଅପରାହ୍ନରେ ତିନିରଥର ଚାରି ନାହାକା ଉଠିବା କାର୍ଯ୍ୟକ୍ରମ ଥିବାରୁ ତାର ପୂର୍ବ ପ୍ରସ୍ତୁତି ଆଜି ପୂର୍ବାହ୍ନରେ ଶେଷ ହୋଇଛି। ଆଜି ପୂର୍ବାହ୍ନରେ ମୁଖ୍ୟ ମହାରଣାଙ୍କ ପରାମର୍ଶ କ୍ରମେ ଭୋଇ ସର୍ଦ୍ଦାର ରବି ଭୋଇ ଙ୍କ ତତ୍ତ୍ଵାବଧାନରେ ଭୋଇ ସେବକ ମାନେ ତିନିରଥର ପାଞ୍ଚ ଦଣ୍ଡା ଉଭୟ ପାର୍ଶ୍ୱରେ ଗୋଟିଏ ଗୋଟିଏ ପୋଲ ଗୟଳ ଆଗ ଏବଂ ପଛ ନିରାଡି ସହ ସଂଯୁକ୍ତ କରାଯାଇଛି ବା ମୋଡା ଯାଇଛି। ଏଥିସହ ଉକ୍ତ ପୋଲ ଗୟଳ କୁ ମୁଣ୍ଡାଇ ରଖିବା ପାଇଁ ସାତ ଗୋଟି ଖମ୍ବି ଏବଂ ଉଭୟ ପାର୍ଶ୍ୱରେ ଗୋଟିଏ ଗୋଟିଏ ଅସୁଆରି ପଟା ଖମ୍ବି ଉଭୟ ପାର୍ଶ୍ୱ ଦଣ୍ଡାରେ ବିନ୍ଧ କରାଯାଇ ସେଟିଂ କରାଯାଇଛି। ଏଥିସହ ତିନି ରଥର ଚାରି ନାହାକା ଉଠିବା ସହଜ ହେବା ପାଇଁ ଆଜି ଭୋଇ ସେବକ ମାନେ ପୋଲ ଗୟଳ ଉପରେ ଫଳି ବଟନ୍ କାଠ ପକାଇ ଭାରା ବନ୍ଧା କାର୍ଯ୍ୟ ଶେଷ ହୋଇଥିଲା।
ଆଜି ଅପରାହ୍ନରେ ତିନି ରଥର ମୁଖ୍ୟ ମହାରଣାଙ୍କ ଦ୍ୱାରା ଅନୁକୂଳ ପୂଜା ପୂର୍ବକ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ୱରେ ସହଯୋଗୀ ଭୋଇ ସେବକ ମାନେ ତିନି ରଥର ଚାରି ନାହାକା କୁ ଗରଗରା ଵିନ୍ଧରେ ସଂଯୋଗ ପୂର୍ବକ ଚାରି ନାହାକା ଉଠିବା ପର୍ବ ଶେଷ କରିଛନ୍ତି।
ରୂପକାର ସେବକ ମାନେ ତିନି ରଥର ବେଦୀ ସିଂହାସନ ମୁହାଁଟି ରେ ଚିତ୍ର ଖୋଦେଇ ଶେଷ କରି ଚିତ୍ର ରୂପ ଗୁଡ଼ିକର ପଲିସ୍ କାର୍ଯ୍ୟ ଜାରୀ ରଖିଥିବା ସହ ତିନିରଥର ଚାରି ଗୋଟି ଲେଖାଏଁ ନାଟ ଗୋଡ଼ରେ କନ୍ଦର୍ପ ରୂପ ଖୋଦେଇ ଜାରୀ ରଖିଛନ୍ତି। ଦୋଳବେଦୀ ଠାରେ ପାହି ମହାରଣା ମାନେ ଅଣସର ଏବଂ ରଥଯାତ୍ରା ରେ ସେବା ପୂଜା ନୀତି ପାଇଁ କାଠ ନିର୍ମିତ ସରଞ୍ଜାମ ନିର୍ମାଣ ଜାରୀ ରଖିଛନ୍ତି।


