
ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ‘ପନିସମେଣ୍ଟ’ ନୁହେଁ, ବରଂ ଏହା ହେଉଛି ‘ପଲଟିକାଲ ଷ୍ଟ୍ରାଟେଜୀ’ । ସିଜେପି ଆନ୍ଦୋଳନ ଗତିଶୀଳ ହେବାପରେ ଜୁନ୍ ୨୫ରେ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବାକୁ ଚାହିଁଥିଲେ । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାହୁଁଥିଲେ, ମନ୍ତ୍ରୀଙ୍କୁ ବଦଳାଇବା ଅପେକ୍ଷା ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଗୁରୁତ୍ୱପୂର୍ଣ୍ଣ । ତେଣୁ ଧର୍ମେନ୍ଦ୍ରଙ୍କ ଇସ୍ତଫାକୁ ଗ୍ରହଣ କରାଯାଇନଥିଲା । ଜୁଲାଇ ୨୦ରେ ଯେତେବେଳେ ମନ୍ତ୍ରୀ ପରିଷଦର ଉଚ୍ଚସ୍ତରୀୟ ବୈଠକ ବସିଥିଲା ସେତେବେଳେ ମଧ୍ୟ ଶ୍ରୀ ପ୍ରଧାନ ଇସ୍ତଫା ଦେବାକୁ ଆଗ୍ରହ ପ୍ରକାଶ କରିଥିଲେ । କିନ୍ତୁ ସେହି ପ୍ରସ୍ତାବକୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ଗ୍ରହଣ କରିନଥିଲେ । ଇସ୍ତଫା ସମାଧାନ ନୁହେଁ ବରଂ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ କଠୋର ଓ ସଠିକ୍ ପଦକ୍ଷେପ ନେବାକୁ ତାଙ୍କୁ ପରାମର୍ଶ ଦିଆଯାଇଥିଲା ।
କିନ୍ତୁ ସିଜେପି ସହ ଦ୍ୱିତୀୟ ରାଉଣ୍ଡ ବୈଠକ ପରେ ସରକାର କିଛି ଅଲଗା ସଙ୍କେତ ପାଇଥିଲେ । ଯେହେତୁ ସିଜେପି ଧର୍ମେନ୍ଦ୍ରଙ୍କ ଇସ୍ତଫା ପାଇଁ ଅଡି ବସିଥିଲା ଏବଂ ଜୁଲାଇ ୨୦ ରେ ହୋଇଥିବା ‘ଚଲୋ ପାର୍ଲିଆମେଣ୍ଟ’ ପରି ଅନ୍ୟ ଏକ ବଡ଼ ଆନ୍ଦୋଳନ କରିବାକୁ ଧମକ ଦେଉଥିଲା ସରକାର ସେଥିରେ କିଛି ଅଲଗା ଗନ୍ଧ ବାରିପାରିଥିଲେ । ସୁରକ୍ଷା ସଂସ୍ଥାଗୁଡ଼ିକ ମଧ୍ୟ ସରକାରଙ୍କୁ ଏ ବାବଦରେ ଏକ ରିପୋର୍ଟ ପ୍ରଦାନ କରିଥିଲେ । ଯଦି ପୁଣି ବଡ଼ ଛାତ୍ର ଆନ୍ଦୋଳନ ହୁଏ ତେବେ ହିଂସାକାଣ୍ଡ ଘଟଣା ବଢ଼ିବ ଓ ଦେଶ ବିରୋଧୀ ତତ୍ତ୍ୱ ବେଶୀ ସକ୍ରିୟ ହେବେ ବୋଲି ଏହି ରିପୋର୍ଟରେ ଉଲ୍ଲେଖ ଥିଲା । ଜୁଲାଇ ୨୦ ରୁ ୨୪ ଭିତରେ ଦିଲ୍ଲୀ ପୋଲିସ ୪ ଶହରୁ ଉର୍ଦ୍ଧ୍ୱ ପାକିସ୍ତାନୀ ସୋସିଆଲ ମିଡ଼ିଆ ହ୍ୟାଣ୍ଡଲକୁ ଚିହ୍ନଟ କରି ତାକୁ ବ୍ୟାନ କରିଥିଲା । ସବୁ ସ୍ଥିତିକୁ ଆଖିଆଗରେ ରଖି ଶେଷରେ ଧର୍ମେନ୍ଦ୍ରଙ୍କ ଇସ୍ତଫାକୁ ସରକାର ଗ୍ରହଣ କରିଥିଲେ ।




