
ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ଅର୍ଚ୍ଚିତା ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏମିତି କିଛି କଥା ଲେଖିଥିଲେ ଯାହା ବେଶ୍ ଚର୍ଚ୍ଚାର ବିଷୟ ପାଲଟିଥିଲା । ଏମିତିକି ମାମାଙ୍କ ସହ ହ୍ୱାଟସଆପ ଚାଟର ସ୍କ୍ରିନସଟ୍ ବି ଛାଡ଼ିଥିଲେ । ଧର୍ମେନ୍ଦ୍ରଙ୍କ ପିଏସ କହିଲେବି ସେ ପୋଷ୍ଟ କାଟିବେ ନାହିଁ ବୋଲି କହିଥିଲେ । କିନ୍ତୁ ଏହାକୁ ନେଇ ସାରା ରାଜ୍ୟରେ ବିଜେପି ଅଳିନ୍ଦରେ ତୀବ୍ର ପ୍ରତିକ୍ର୍ରିୟା ପ୍ରକାଶ ପାଇଥିଲା । ଶେଷକୁ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ପ୍ରାଇଭେଟ୍ କରିବାକୁ ବାଧ୍ୟ ହୋଇଥିଲେ ଅର୍ଚ୍ଚିତା ।
ଅପରପକ୍ଷରେ ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ପରେ ଝାରସୁଗୁଡ଼ା ବିଜେପିରେ ବି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଧର୍ମେନ୍ଦ୍ରଙ୍କ ଅନୁଗତ ହେଉଛନ୍ତି ଟଙ୍କଧର । ତେଣୁ ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ଉଭୟଙ୍କ ପ୍ରତି କଟାକ୍ଷ କରିଥିଲେ ସୁରେଶ ପୂଜାରୀଙ୍କ ସମର୍ଥକ । ବିଜେପିର କାର୍ଯ୍ୟକର୍ତ୍ତା ସୁନୀଲ ସାଗର ଏହାକୁ ଓଡ଼ିଶା ପାଇଁ ଦୁଃଖର ଦିନ ବୋଲି କହିଥିବାବେଳେ ସୁରେଶ ପୂଜାରୀଙ୍କ ଘନିଷ୍ଠ ସହଯୋଗୀ ରିଙ୍କନ ପଟ୍ଟନାୟକ ଏହା ଖୁସିର ଦିନ ବୋଲି କହିଥିଲେ । ଯାହାକୁ ନେଇ ଝାରସୁଗୁଡ଼ା ବିଜେପି ରାଜନୀତି ସରଗରମ ହୋଇଯାଇଛି ।




