
ଢେଙ୍କାନାଳ:ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲାରେ ଢେଙ୍କାନାଳ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ମାମଲାରେ ଅଭିଯୁକ୍ତ ସାବ୍ୟସ୍ତ ହୋଇଥିବା ସାଗର ବାରିକଙ୍କୁ କୋର୍ଟ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି।ଢେଙ୍କାନାଳ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍-କମ୍-ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ପରଜଙ୍ଗ ଥାନା ମାମଲା ନଂ-୭୭/୨୦୧୯ର ଶୁଣାଣି କରି ଏହି ରାୟ ପ୍ରକାଶ କରିଛନ୍ତି।
ସୂଚନା ଅନୁଯାୟୀ, ଏହି ମାମଲା ୨୫ ମାର୍ଚ୍ଚ ୨୦୧୯ରେ ପରଜଙ୍ଗ ଥାନାରେ ରୁଜୁ ହୋଇଥିଲା। ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗ ପରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା। ପରେ ପୋଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତ ହେଲେ ପରଜଙ୍ଗ ଥାନା ଅଧୀନ ମାଣିକମରା ଗ୍ରାମର ସାଗର ବାରିକ (୧୯)। ତାଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧିର ଧାରା ୩୭୬(୩) ଏବଂ ପୋକ୍ସୋ ଆଇନର ଧାରା ୮ ଅନୁଯାୟୀ ମାମଲା ଚାଲିଥିଲା।କୋର୍ଟ ଦଣ୍ଡାଦେଶ ସହ ଅଭିଯୁକ୍ତଙ୍କ ଉପରେ ୨୦ ହଜାର ଟଙ୍କା ଜରିମାନା ଲାଗୁ କରିଛନ୍ତି। ଜରିମାନା ଅନାଦାୟ କଲେ ଅତିରିକ୍ତ ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ।ମାମଲାର ତଦନ୍ତ ଏସଆଇ ସସ୍ମିତା ପାଲ କରିଥିବାବେଳେ ସ୍ୱତନ୍ତ୍ର ପୋକ୍ସୋ ସରକାରୀ ଓକିଲ ସ୍ମିତା ପଟ୍ଟନାୟକ ମାମଲାର ପରିଚାଳନା କରିଥିଲେ।
ଏହି ରାୟ ଯୌନ ଅପରାଧର ଶିକାର ପୀଡ଼ିତଙ୍କୁ ନ୍ୟାୟ ଦେବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଓଡ଼ିଶା ପୋଲିସ ପକ୍ଷରୁ କୁହାଯାଇଛି। ୨୦୧୯ରେ ମାମଲା ରୁଜୁ ହୋଇଥିବାରୁ ଏହାର ବିଚାର ପୁରୁଣା ଆଇନ ଆଇପିସି ଏବଂ ପୋକ୍ସୋ ଆଇନ ଅନୁଯାୟୀ ହୋଇଛି।




