
ଭୁବନେଶ୍ବର: ଓଡ଼ିଶାର ବରିଷ୍ଠ ରାଜନୀତିଜ୍ଞ ତଥା ବିଜେଡି ସରକାରର ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ପରଲୋକ ହୋଇଛି । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଅସୁସ୍ଥତା ପାଇଁ ଦୀର୍ଘଦିନ ଧରି ସେ ଚିକିତ୍ସିତ ହେଉଥିଲେ । ଆଜି ୫୩ ବର୍ଷ ବୟସରେ ସେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି ।
୧୭ ମାର୍ଚ୍ଚ ୧୯୭୩ରେ ଜନ୍ମଗ୍ରହଣ କରିଥିବା ସୁଶାନ୍ତ ସିଂହ, ବିଜେଡିର ଜଣେ ବରିଷ୍ଠ ନେତା ଥିଲେ । ୨୦୦୯, ୨୦୧୪ ଓ ୨୦୧୯ ମସିହା ଲଗାତର ତିନି ଥର ସେ ବିଧାୟକ ଥିଲେ । ୨୦୧୭ ମସିହାରୁ ୨୦୨୨ ଯାଏଁ, ସେ ଓଡ଼ିଶା ବିଧାନସଭାରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ନବୀନ ପଟ୍ଟନାୟକଙ୍କ ସରକାରରେ ଶ୍ରମମନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।
୨୦୨୪ ମସିହାରେ ବିଧାନସଭା ନିର୍ବାଚନରେ, ସେ ବିଜେଡିର ପ୍ରାର୍ଥୀ ଭାବରେ ଭଟଲୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ନିର୍ବାଚନରେ, ସେ ସମୁଦାୟ ୭୯,୭୧୬ ଖଣ୍ଡ ଭୋଟ୍ ପାଇ ୨ୟ ସ୍ଥାନରେ ଥିଲେ ଏବଂ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଇରାଶିଷ ଆଚାର୍ଯ୍ୟଙ୍କ ଠାରୁ ୨୭,୮୯୨ ଖଣ୍ଡ ଭୋଟ୍ରେ ପରାସ୍ତ ହୋଇଥିଲେ ।




