
ଗଣିଆ : ନୟାଗଡ଼ ଜିଲା ଗଣିଆ ବ୍ଲକ ବଡ଼ମୂଳ ଗ୍ରାମରେ ରବିବାର ଅପରାହ୍ଣରେ କାଳବୈଶାଖୀ ସହିତ ବଜ୍ରପାତ ଘଟିବାରୁ ଜଣେ ନାବାଳିକାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକ ହେଲେ ବଡ଼ମୂଳ ଗ୍ରାମର ସୁରେଶ ସାହୁଙ୍କ ଝିଅ ସୁଭଦ୍ରା ସାହୁ (୧୭)। ବଜ୍ରପାତରେ ତାଙ୍କ ମା’ ଓ ଗ୍ରାମର ଅନ୍ୟ ଜଣେ ୮ ବର୍ଷର ବାଳିକା ଗୁରୁତର ଆହତ ହୋଇଛନ୍ତି।
ରବିବାର ଅପରାହ୍ଣରେ ହଠାତ୍ ପାଗ ପରିବର୍ତ୍ତନ ହୋଇ କାଳବୈଶାଖୀ ଆରମ୍ଭ ହୋଇଥିଲା। ଏହି ସମୟରେ ସୁଭଦ୍ରା ଓ ତାଙ୍କ ମା’ ସୁଲୋଚନା ଘର ବାଡ଼ିରେ ଥିବା ଆମ୍ବଗଛ ମୂଳରୁ ଆମ୍ବ ଗୋଟାଉଥିଲେ। ଏତିକି ବେଳେ ବଜ୍ରପାତ ଘଟିବାରୁ ସୁଭଦ୍ରାଙ୍କ ସେଠାରେ ହିଁ ମୃତ୍ୟୁ ଘଟିଥିଲା। ତାଙ୍କ ମା’ ସୁଲୋଚନା ଏବଂ ନିକଟରେ ଥିବା ବିଶ୍ବନାଥ ସାହୁଙ୍କ ୮ ବର୍ଷର ଝିଅ ଶ୍ରଦ୍ଧାଞ୍ଜଳି ଗୁରୁତର ଆହତ ହୋଇଥିଲେ। ଘଟଣା ପରେ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ହେଲେ ଆମ୍ବୁଲାନ୍ସ ନ ପହଞ୍ଚିବାରୁ ଲକ୍ଷ୍ମୀ ବସ୍ ଯୋଗେ ଆହତଙ୍କୁ ଗଣିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ସୁଭଦ୍ରାଙ୍କୁ ମୃତ ଘୋଷଣା କରିଥିବାବେଳେ ଗୁରୁତର ମା’ ଓ ବାଳିକାର ଚିକିତ୍ସା ଜାରି ରହିଛି।




