
ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବଡବାରବା ଠାରେ ବନ ବିଭାଗ ଏବଂ ବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଉତ୍ସାହ ସହ ଅନୁଷ୍ଠିତ ହୋଇଯାଇଛି।
ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଚନ୍ଦ୍ରିକା ନାୟକଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଣଶିକ୍ଷକ କର୍ମଚାରୀ ଉପସ୍ଥିତ ରହିଥିଲେ। ଅତିଥି ଭାବେ କରଡ଼ା ବନାଞ୍ଚଳ ଅଧିକାରୀ ଶ୍ରୀ କାଳୀଚରଣ ବେହେରା, ବନପାଳ ଶ୍ରୀ ଅଜିତ କୁମାର ପ୍ରଧାନ ଏବଂ ବନରକ୍ଷୀ ଶ୍ରୀ ବିଭୀଷଣ ବେହେରା ଯୋଗଦେଇ ବନ ସଂରକ୍ଷଣ, ପରିବେଶ ସୁରକ୍ଷା ଓ ବୃକ୍ଷରୋପଣର ଗୁରୁତ୍ୱ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିଥିଲେ।ବକ୍ତାମାନେ କହିଥିଲେ ଯେ ବନ ଓ ପରିବେଶର ସୁରକ୍ଷା ମାନବ ଜୀବନର ଅସ୍ତିତ୍ୱ ସହ ଜଡ଼ିତ। ପ୍ରତ୍ୟେକ ବ୍ୟକ୍ତି ପ୍ରତିବର୍ଷ ଅତିକମରେ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବା ସହ ପରିବେଶ ସୁରକ୍ଷା ପ୍ରତି ସଚେତନ ହେବାକୁ ଆହ୍ୱାନ ଦେଇଥିଲେ। କାର୍ଯ୍ୟକ୍ରମରେ ବୃକ୍ଷରୋପଣ ସହ ପରିବେଶ ସୁରକ୍ଷା ସମ୍ପର୍କିତ ସଚେତନତା ବାର୍ତ୍ତା ମଧ୍ୟ ପ୍ରଦାନ କରାଯାଇଥିଲା।
ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମନୋରଞ୍ଜନ ଦଳବେହେରା,ପୂର୍ବତନ ଛାତ୍ର ସଂସଦ ସଭାପତି କାଁହୁ ଚରଣ ସେଠି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।ଛାତ୍ରଛାତ୍ରୀମାନେ ବୃକ୍ଷରୋପଣ କରିବା ସହ ପରିବେଶ ସୁରକ୍ଷା ପାଇଁ ସଚେତନ ରହିବାକୁ ଶପଥ ଗ୍ରହଣ କରିଥିଲେ।
ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ନେଇ କୁଇଜ୍ ପ୍ରତିଯୋଗିତା ଆୟୋଜନ ସହ ପୁରସ୍କୃତ କରାଯାଇଥିଲା। ଶେଷରେ ସମସ୍ତେ ପରିବେଶ ସୁରକ୍ଷା ଓ ଅଧିକରୁ ଅଧିକ ବୃକ୍ଷରୋପଣ କରିବାକୁ ଶପଥ ଗ୍ରହଣ କରିଥିଲେ।
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା




