
ନୂଆଦିଲ୍ଲୀ: ଲଗାତାର ବର୍ଷା ଓ ଭୂସ୍ଖଳନ ଯୋଗୁଁ ରାସ୍ତାଘାଟରେ ବ୍ୟାପକ କ୍ଷୟକ୍ଷତି ହେବା ପରେ ଚଳିତବର୍ଷର ବାବା ଅମରନାଥ ଯାତ୍ରାକୁ ନିର୍ଦ୍ଧାରିତ ସମୟର ୨୦ ଦିନ ପୂର୍ବରୁ ସ୍ଥଗିତ ରଖାଯାଇଛି। ସୁରକ୍ଷା ଦୃଷ୍ଟିରୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଆଜିଠାରୁ ଆଉ କୌଣସି ନୂଆ ତୀର୍ଥଯାତ୍ରୀ ବ୍ୟାଚ୍କୁ ଅମରନାଥ ଯାତ୍ରା ପାଇଁ ପଠାଯିବ ନାହିଁ। ତେବେ ପୂର୍ବରୁ ଯାତ୍ରାରେ ଥିବା ବ୍ୟାଚ୍ ଗୁଡ଼ିକୁ ତୀର୍ଥଯାତ୍ରା ସୁରକ୍ଷିତ ଭାବେ ସମାପ୍ତ କରିବାକୁ ଅନୁମତି ମିଳିବ। ଏପର୍ଯ୍ୟନ୍ତ ୪ ଲକ୍ଷ ୮୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ବାବା ଅମରନାଥଙ୍କ ପବିତ୍ର ଗୁମ୍ଫା ଦର୍ଶନ କରିସାରିଛନ୍ତି।
ବର୍ଷା ଓ ଭୂସ୍ଖଳନରେ କ୍ଷତିଗ୍ରସ୍ତ ହୋଇଥିବା ଯାତ୍ରାପଥର ପୁନରୁଦ୍ଧାର ଓ ସ୍ଥିରୀକରଣ କାମ ଆରମ୍ଭ ହୋଇଛି। ବର୍ଡର ରୋଡ୍ ଅର୍ଗାନାଇଜେସନ୍ (BRO) କ୍ଷତିଗ୍ରସ୍ତ ଅଂଶଗୁଡ଼ିକର ମରାମତି ଓ ଟ୍ରାକ୍କୁ ପୁନଃ ସୁରକ୍ଷିତ କରିବା କାମରେ ନିୟୋଜିତ ରହିଛି। ଅଧିକାରୀମାନଙ୍କ ଅନୁଯାୟୀ, ଏବେ ମୁଖ୍ୟ ଲକ୍ଷ୍ୟ ହେଉଛି ଯାତ୍ରାପଥକୁ ସୁରକ୍ଷିତ କରିବା ଏବଂ ପୂର୍ବରୁ ଯାତ୍ରାରେ ଥିବା ଶ୍ରଦ୍ଧାଳୁମାନଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା।
ଚଳିତବର୍ଷ ଜୁଲାଇ ୩ରୁ ଆରମ୍ଭ ହୋଇଥିବା ଅମରନାଥ ଯାତ୍ରାରେ ଏପର୍ଯ୍ୟନ୍ତ ୪ ଲକ୍ଷ ୮୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ଗୁମ୍ଫାରେ ବାବା ଅମରନାଥଙ୍କ ଦର୍ଶନ କରିସାରିଛନ୍ତି। ୨୦୨୬ର ଯାତ୍ରା ୫୭ ଦିନ ଧରି ଚାଲିବାକୁ ଥିଲା।
ତୀର୍ଥଯାତ୍ରୀଙ୍କ ପାଇଁ ଯାତ୍ରା ବନ୍ଦ ହୋଇଥିଲେ ମଧ୍ୟ ଧାର୍ମିକ ପରମ୍ପରା ଅନୁଯାୟୀ ଅମରନାଥ ଯାତ୍ରାର ଆନୁଷ୍ଠାନିକ ସମାପ୍ତି‘ଛଡ଼ି ମୁବାରକ’ସହିତ ହେବ। ଅଗଷ୍ଟ ୨୮ରେ ପାରମ୍ପରିକ ପହଲଗାମ୍ ମାର୍ଗ ଦେଇ ପବିତ୍ର ‘ଛଡ଼ି’କୁ ଅମରନାଥ ଗୁମ୍ଫାକୁ ନିଆଯିବ। ଏହା ପରେ ୨୦୨୬ ଅମରନାଥ ଯାତ୍ରାର ଔପଚାରିକ ପରିସମାପ୍ତି ଘଟିବ।ପ୍ରଶାସନ ପକ୍ଷରୁ ପାଗର ସ୍ଥିତି ଓ ଯାତ୍ରାପଥର ସୁରକ୍ଷା ଉପରେ ନଜର ରଖାଯାଉଛି। ଏହି ସମୟରେ ଯାତ୍ରୀ ଓ ସାଧାରଣ ଲୋକଙ୍କୁ ପାହାଡ଼ିଆ ଅଞ୍ଚଳରେ ଅନାବଶ୍ୟକ ଯାତାୟାତ ନକରିବାକୁ ସତର୍କ କରାଯାଇଛି।




