
ନୂଆଦିଲ୍ଲୀ: ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ସହ ଫୋନରେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି(ଶନିବାର) ବିଳମ୍ବିତ ରାତିରେ ଉଭୟଙ୍କ ମଧ୍ୟରେ ଫୋନରେ ଆଲୋଚନା ହୋଇଥିବା ନେଇ ସୋସିଆଲ ମିଡିଆ Xରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତ-ଆମେରିକା ମଧ୍ୟରେ ବୈଶିକ ରଣନୈତିକ ସହଭାଗିତାକୁ ଆହୁରି ମଜବୁତ କରିବାକୁ ଉଭୟ ଦେଶ ମଧ୍ୟରେ ଆଲୋଚନା ହୋଇଛି । ଏଥିସହ ପୁଅ ଜନ୍ମ ହେବା ଖୁସିରେ ଆମେରିକା ଉପରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଥିଲେ ପ୍ରଧାନମନ୍ତ୍ରୀ ।
ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ(PMO)ରୁ କୁହାଯାଇଛି ଯେ, ଉଚ୍ଚସ୍ତରୀୟ ଆଲୋଚନାରେ ନିରନ୍ତର ଅଗ୍ରଗତି ଦେଖୁଛନ୍ତି ଉଭୟ ରାଷ୍ଟ୍ର । ତେବେ ବାଣିଜ୍ୟ, ପ୍ରତିରକ୍ଷା, ଟେକ୍ନୋଲୋଜି, ଶକ୍ତି କ୍ଷେତ୍ର ଓ ଖଣିଜ ପଦାର୍ଥ କ୍ଷେତ୍ରରେ ସହଯୋଗକୁ ଆହୁରି ମଜବୁତ କରିବାକୁ ଉଭୟ ରାଷ୍ଟ୍ର ପ୍ରତିବଦ୍ଧ । ଉଭୟ ରାଷ୍ଟ୍ରର ଲାଭ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ସ୍ତରରେ ବିକାଶ ପାଇଁ ଆଲୋଚନା କରିବା ସହ ମତ ବିନିୟମ କରିଥିଲେ । ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆରେ କହିଛନ୍ତି ଯେ, ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଓ ଦେଶର ଦ୍ବିତୀୟ ନାଗରିକ ଉଷା ଭାନ୍ସଙ୍କୁ ପୁଅ ଜନ୍ମ ହେବା ଖୁସିରେ ପୂରା ପରିବାରକୁ ଶୁଭେଚ୍ଛା ଓ ଶୁଭକାମନା ।
ତେବେ ତୁର୍କୀ, ସାଉଦି ଆରବ ଓ ପାକିସ୍ତାନ ମଧ୍ୟରେ ପ୍ରତିରକ୍ଷା ନେଇ ଚୁକ୍ତି ସ୍ବାକ୍ଷରର କିଛି ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍ କରି ଆଲୋଚନା କରିଛନ୍ତି ଭାନ୍ସ । ତେବେ ପଶ୍ଚିମ-ଏସିଆ ଯୁଦ୍ଧ ମଧ୍ୟରେ ଏପରି ଆଲୋଚନାକୁ ଆଞ୍ଚଳିକ ସମନ୍ବୟର ଏକ ପ୍ରତିଫଳନ ଭାବେ ଦେଖାଯାଉଛି ।
ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କେଉଁ କେଉଁ ବିଷୟରେ ଆଲୋଚନା ହୋଇଛି ତାହାର ସମ୍ପୂର୍ଣ୍ଣ ତଥ୍ୟ ଆମେରିକା ପକ୍ଷରୁ ଦିଆଯାଇନାହିଁ । ଗତ ଜୁନ ମାସରେ ଫ୍ରାନ୍ସରେ ଏକ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ନିଜ ଅଧିକାରୀଙ୍କୁ ଖୁବ ଶୀଘ୍ର ଏକ ସନ୍ତୁଳିତ, ପାରସ୍ପରିକ ଲାଭଦାୟକ ଓ ବାଣିଜ୍ୟକ ଭାବରେ ଅର୍ଥପୂର୍ଣ୍ଣ ବାଣିଜ୍ୟ ଚୁକ୍ତିନାମା କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ତେବେ ଋଷ ତେଲ କିଣାକୁ ନେଇ ଭାରତ ଉପରେ ଟ୍ରମ୍ପଙ୍କ ଟାରିଫ ମାଡ ପରେ ଉଭୟ ରାଷ୍ଟ୍ର ମଧ୍ୟରେ ଥିବା ସମ୍ପର୍କ ବିଗିଡିଛି । ଏପରିକି ଅପରେସନ ସିନ୍ଦୂର ସମୟରେ ଟ୍ରମ୍ପଙ୍କ ହସ୍ତକ୍ଷେପ ପରେ ଯୁଦ୍ଧ ବନ୍ଦ ଦାବି ଉପରେ ଭାରତ ପ୍ରତ୍ୟାଖାନ କରିଥିଲା । ଏହା ପରେ ଉଭୟ ରାଷ୍ଟ୍ର ମଧ୍ୟରେ ଥିବା ସମ୍ପର୍କରେ ଭଟ୍ଟା ପଡିଥିଲା ।
ଟ୍ରମ୍ପଙ୍କ ଯୁଦ୍ଧ ରୋକିବା ଦାବିକୁ ଭାରତ ପ୍ରତ୍ୟାଖାନ କରିବା ସହ ଏଥିରେ ଆମେରିକାର କୌଣସି ସମ୍ପର୍କ ନାହିଁ ବୋଲି ଭାରତ ସଫାସଫା କହିଥିଲା । ତେବେ ବର୍ତ୍ତମାନ ସମୟରେ ଉଭୟ ରାଷ୍ଟ୍ର ସମ୍ପର୍କକୁ ସଜାଡିବାକୁ ଲାଗିଛନ୍ତି । ଏହାସହ ବାଣିଜ୍ୟ ଚୁକ୍ତି ଆଗକୁ ବଢାଇବାକୁ ଆଗକୁ ଆସିଛନ୍ତି ।




