
ଭୁବନେଶ୍ୱର: ଡବଲ ଇଞ୍ଜିନ ସରକାରରେ ଆଦିବାସୀ ମାନେ ଅସୁରକ୍ଷିତ ଓ ଅବହେଳିତ । ରାଜ୍ୟବ୍ୟାପୀ ଆଦିବାସୀ ମାନଙ୍କୁ ଆକ୍ରମଣ କରାଯାଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରରେ ମଧ୍ୟ ଆଦିବାସୀଙ୍କୁ ଆକ୍ରମଣ କରାଯାଉଛି । ଆଦିବାସୀ ମାନଙ୍କ ଧର୍ମୀୟ ଭାବନାକୁ କୁଠାରଘାତ କରିଛନ୍ତି ବିଜେପି ସରକାର । ଆଦିବାସୀ ମାନଙ୍କ ପୂଜାସ୍ଥଳୀରେ ଆକ୍ରମଣ ଘଟଣା ନେଇ ମାଝୀ ପାର୍ଗନା ପକ୍ଷରୁ ନଭେମ୍ୱର ୧୮ ତାରିଖରେ କେନ୍ଦୁଝରରେ ବିରାଟ ଆନେ୍ଦାଳନ କରାଯିବ । ଏହି ଆନେ୍ଦାଳନକୁ ସମର୍ଥନ ଜଣାଇଛି ବିଜେଡି ଆଦିବାସୀ ସାମ୍ମୁଖ୍ୟ । ବାରିପଦା ସ୍ଥିତ ବିଜୁ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ଆଦିବାସୀ ସେଲ୍ ସଭାପତି ଶ୍ରୀ ସୁଦାମ ମାରାଣ୍ଡି, ଆଦିବାସୀ ସେଲ୍ ଉପସଭାପତି ଶ୍ରୀ ସାନନ୍ଦ ମାରାଣ୍ଡି, ସାଧାରଣ ସମ୍ପାଦକ ଶ୍ରୀ ଦେବାଶିଷ ମାରାଣ୍ଡି ଓ ସାଧାରଣ ସମ୍ପାଦକ ତଥା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା ସମର୍ଥନ ଜଣାଇ କେନ୍ଦୁଝର ଚାଲ ଡାକରା ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ଗତ ୨୩ ଅକ୍ଟୋବର ୨୦୨୬ ତାରିଖରେ ସାନ୍ତାଳ ସମ୍ପ୍ରଦାୟର ପବିତ୍ର ପୂଜାସ୍ଥଳୀ ଜାହେରା ଠାରେ ଆଦିବାସୀ ମାନେ ପୂଜାର୍ଚ୍ଚନା କରୁଥିବା ବେଳେ ବଜରଙ୍ଗ ଦଳର କିଛି ବ୍ୟକ୍ତି ମାନେ ପବିତ୍ର ପୂଜାସ୍ଥଳୀରେ ପ୍ରବେଶ କରି ଭଙ୍ଗାରୁଜା କରିଥିଲେ । ଉପସ୍ଥିତ ଆଦିବାସୀ ମହିଳାମାନଙ୍କୁ ଦୁର୍ବ୍ୟବହାର କରିବା ସହ ବୃଦ୍ଧବୃଦ୍ଧା ଓ ଯୁବକମାନଙ୍କୁ ମାରଣାସ୍ତ୍ରରେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଏହି ଘଟଣାକୁ ନେଇ ଥାନାରେ ଅଭିଯୋଗ କରିବା ପରେ ମଧ୍ୟ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ନାହିଁ । ଏହି ପରିପ୍ରେକ୍ଷୀରେ ବିଜୁ ଜନତା ଦଳର ସଭାପତି ତଥା ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶକ୍ରମେ ବିଜେଡିର ଏକ ପ୍ରତିନିଧି ଦଳ ବସନ୍ତପୁରା ଗ୍ରାମ ପରିଦର୍ଶନ କରି ଆଦିବାସୀ ମାନଙ୍କ ସହ ଆଲୋଚନା କରିଥିଲା । ବିଜେଡିର ଏହି ଗସ୍ତ ପରେ ବଜରଙ୍ଗ ଦଳର ୫ ଜଣ କର୍ମକର୍ତ୍ତାଙ୍କୁ ପୋଲିସ୍ ଗିରଫ କରିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ମୁଖ୍ୟ ଆସାମୀ ମାନଙ୍କୁ ଗିରଫ କରିବାରେ ପୋଲିସ୍ ବିଫଳ ହୋଇଛି । କେନ୍ଦୁଝର ପରେ ସୁନ୍ଦରଗଡ ଜିଲ୍ଲାରେ ମଧ୍ୟ ଆଦିବାସୀ ଯୁବକଙ୍କୁ ବଜରଙ୍ଗ ଦଳର କର୍ମୀ ମାନେ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରିଥିଲେ । କିନ୍ତୁ ଅଭିଯୋଗ ପରେ ବି ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଆଦିବାସୀ ମାନେ ବାରମ୍ବାର ଶୋଷଣ ଓ ନିର୍ଯାତନା ଶିକାର ହେଉଥିବା ବେଳେ ରାଜ୍ୟ ସରକାର ଦେଖଣାହାରୀ ସାଜି ଚୁପ୍ ବସିଛନ୍ତି । ରାଜ୍ୟର ମୁଖ୍ୟମନ୍ତ୍ରୀ ଆଦିବାସୀ ସଂପ୍ରଦାୟର ଓ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଓଡ଼ିଶାରୁ ହୋଇଥିଲା ବେଳେ ଆଦିବାସୀ ମାନେ ଅସୁରକ୍ଷିତ ହୋଇପଡ଼ିବା ଅତ୍ୟନ୍ତ ନିନ୍ଦନୀୟ । ଓଡ଼ିଶାରେ ଆଦିବାସୀ ସମ୍ପ୍ରଦାୟର ସୁରକ୍ଷା ଓ ସ୍ୱାର୍ଥ ପାଇଁ ବିଜୁ ଜନତା ଦଳ ସର୍ବଦା ଲଢେଇ ଜାରି ରଖିବ ।






