
ଭୁବନେଶ୍ୱର: ଜଣେ ଯୁବତୀଙ୍କୁ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ଜଣେ ପୋଲିସ ବାବୁ ଛନ୍ଦି ହୋଇଛନ୍ତି। ପୀଡିତାଙ୍କ ପକ୍ଷରୁ ଅଭିଯୋଗ ପାଇ କମିଶନରେଟ୍ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ Special Operation Group (SOG) ଯବାନଙ୍କୁ ନୟାପଲ୍ଲୀ ଥାନା ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ପୂର୍ଣ୍ଣଚନ୍ଦ୍ର ମହାନ୍ତି। ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ରଙ୍କ ଘର ଯାଜପୁର ଜିଲ୍ଲାରେ। ତାଙ୍କୁ କୋର୍ଟଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ଏନେଇ ଡିସିପି ଅଫିସ ପକ୍ଷରୁ ପ୍ରେସ ରିଲିଜ ଜରିଆରେ ସୂଚନା ଦିଆଯାଇଛି। ଏହି ଘଟଣାରେ ପୀଡିତାଙ୍କ ଏତଲା ପାଇ ନୟାପଲ୍ଲୀ ଥାନା ପକ୍ଷରୁ ଭାରତୀୟ ନ୍ୟାୟ ସଂହିତା (BNS) ଦଫା ୬୯ରେ ଏକ ମାମଲା (ନଂ.୯୦୨/୨୦୨୬) ରୁଜୁ କରାଯାଇଛି। ମାମଲାରେ ଅଧିକ ତଦନ୍ତ ଜାରି ରହିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
ପୋଲିସ ସୂଚନା ଅନୁଯାୟୀ, ୨୩ ବର୍ଷୀୟା ପୀଡିତାଙ୍କୁ ଅଭିଯୁକ୍ତ ଜଣକ ପ୍ରେମ କରୁଥିଲେ। ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ। ନୟାପଲ୍ଲୀ ଥାନା ଅନ୍ତର୍ଗତ ଏକ ଲଜରେ ଅକ୍ଟୋବର ୨୮ ତାରିଖରେ ପୀଡିତାଙ୍କ ସହ ଶାରିରୀକ ସମ୍ପର୍କ ରଖିବା ପରେ ବିବାହ ନ କରିବାକୁ ଅଭିଯୁକ୍ତ ମନା କରିଦେଇଥିଲେ। ପ୍ରତାରଣାର ଶିକାର ହୋଇ ଯୁବତୀ ଜଣକ ପୋଲିସର ଦ୍ୱାରସ୍ଥ ହୋଇଥିଲେ।
ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ଅପରାଧିକ ମାମଲାରେ ଫସି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏକାଧିକ ପୋଲିସ କର୍ମଚାରୀ ଗିରଫ ହୋଇଛନ୍ତି। ପତ୍ନୀଙ୍କୁ ନିର୍ଯାତନା ଅଭିଯୋଗରେ ଗତ ଅଗଷ୍ଟ ଶେଷ ସପ୍ତାହରେ ଭଦ୍ରକ ଟାଉନ ଥାନା ଏସଆଇ ଗଣନାଥ ସେଠୀ ଗିରଫ ହୋଇଥିଲେ। ଭଦ୍ରକ ଟାଉନ ଥାନା ପକ୍ଷରୁ ଗଣନାଥଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଥିଲା। ଗଣନାଥଙ୍କ ଘର ନୟାଗଡ଼ ଜିଲା ଦଶପଲ୍ଲାରେ ବୋଲି ଜଣାପଡିଛି।





