
ପିପିଲି,: ବେଆଇନ କଇଁଛ ଚାଲାଣ ଉପରେ ପିପିଲି ପୁଲିସର ବଡ଼ ଚଢ଼ାଉ। ପଶ୍ଚିମବଙ୍ଗ ନମ୍ବର ଥିବା ଏକ କାର୍ରୁ ୨୩୦ଟି ଜୀବନ୍ତ କଇଁଛ ଉଦ୍ଧାର କରାଯାଇଛି। ଏହି ବେଆଇନ ଚାଲାଣ ଅଭିଯୋଗରେ ଦୁଇ ଜଣ ବଙ୍ଗୀୟ ଯୁବକଙ୍କୁ ଅଟକ ରଖାଯାଇଛି। ଜବତ କଇଁଛ ଓ କାର୍କୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି।
ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ଏକ କାର୍ରେ ବେଆଇନ ଭାବେ କଇଁଛ ଚାଲାଣ ହେଉଥିବା ନେଇ ପିପିଲି ପୁଲିସକୁ ଗୁପ୍ତ ସୂଚନା ମିଳିଥିଲା । ଏହାପରେ ପୁଲିସ ପକ୍ଷରୁ ତୁରନ୍ତ ଚଢ଼ାଉ କରାଯାଇ ପିପିଲି ଟୋଲ୍ ଗେଟ୍ ନିକଟରେ ସନ୍ଦିଗ୍ଧ କାର୍ଟିକୁ ଅଟକାଯାଇଥିଲା । କାର୍ଟିକୁ ଯାଞ୍ଚ କରିବା ସମୟରେ ସେଥିରୁ ୨୩୦ଟି ଜୀବନ୍ତ କଇଁଛ ମିଳିଥିଲା । ଏହାସହ ଚାଲାଣରେ ସମ୍ପୃକ୍ତ ଦୁଇ ଜଣଙ୍କୁ ପୁଲିସ ଧରିଥିଲା।
ପରେ ଉଦ୍ଧାର ହୋଇଥିବା ସମସ୍ତ କଇଁଛ ଓ ଚାଲାଣରେ ବ୍ୟବହୃତ କାର୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ବାଲିପାଟଣା ବନ ବିଭାଗକୁ ହସ୍ତାନ୍ତର କରାଯାଇଛି । ଏହି ବେଆଇନ ବନ୍ୟଜନ୍ତୁ ଚାଲାଣ ପଛରେ ଆଉ କାହାର ସମ୍ପୃକ୍ତି ରହିଛି, ସେନେଇ ବନ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି।





