
ଭୁବନେଶ୍ୱର: ରାତିପାହିଲେ ଆଲୋକର ପର୍ବ ଦୀପାବଳି । ଦୀପାବଳିରେ ଆଇନଶୃଙ୍ଖଳା ରକ୍ଷା ପାଇଁ ମୋଟ ୨୭ ପ୍ଲାଟୁନ ପୁଲିସ ଫୋର୍ସ ସହରରେ ଜଗିବେ । ବଛା ବଛା ୧୪ଟି ଛକରେ ପୁଲିସ ମୁତୟନ କରାଯିବ । ରିଜର୍ଭ ଅଫିସରେ ଗୋଟିଏ ପ୍ଲାଟୁନ ଷ୍ଟ୍ରାଇକିଂ ଫୋର୍ସ ସଜାଗ ରହିବ । ଗତ ୨୦ ତାରିଖରୁ ଆଜି ଭିତରେ ବେଆଇନ ବାଣବିକ୍ରି ଜନିତ ମୋଟ ୮ଟି ମାମଲା ସାମ୍ନାକୁ ଆସିଛି । ବାଲିଅନ୍ତାରେ ୨ଟି, ଏୟାରଫିଲ୍ଡ, ବାଲିପାଟଣା, କ୍ୟାପିଟାଲ, ଜଟଣୀ, ନନ୍ଦନକାନନ, ମଞ୍ଚେଶ୍ୱର ଥାନାରେ ଗୋଟିଏ ଲେଖାଏ ମାମଲା ରୁଜୁ ହୋଇଛି । ମୋଟ ୧୫ ଲକ୍ଷ ଟଙ୍କାର ବେଆଇନ ବାଣ ଜବତ ହୋଇଛି ।
ଦୀପାବଳି ପାଇଁ ବାଣ ବଜାରରେ ଗହଳି । ଚଳିତବର୍ଷ ବାଣ ଦର ଆକାଶଛୁଆଁ । ଗତବର୍ଷ ତୁଳନାରେ ଏଥର ବାଣ ଦର ପ୍ରାୟ ୧୫ରୁ ୨୦ ପ୍ରତିଶତ ବୃଦ୍ଧି ହୋଇଛି । ତଥାପି ବ୍ୟାଗ ଭର୍ତ୍ତି କରି ଗ୍ରାହକ ବାଣ କିଣୁଛନ୍ତି । ରାଜଧାନୀର ବରମୁଣ୍ଡା, ବଡ଼ଗଡ଼, ୟୁନିଟ-୧, ନୂଆପଲ୍ଲୀ, ରସୁଲଗଡ଼, ତମାଣ୍ଡୋ, ଡମଣା ଆଦି ସ୍ଥାନରେ ଅସ୍ଥାୟୀ ବାଣ ବଜାର ଲାଗିଛି । ତା ସହ ବିଭିନ୍ନ ଛକରେ ମଧ୍ୟ ବାଣର ପସରା ଖୋଲିଛି । ପିଲାଙ୍କ ପାଇଁ ଅଧିକ ଧୂଆଁ ନଥିବା ବାଣ ମଧ୍ୟ ବଜାରରେ ଉପଲବ୍ଧ ହେଉଛି ।
ରାଜଧାନୀରେ ମୋଟ ୪୪୨ଟି ଅସ୍ଥାୟୀ ବାଣ ଦୋକାନ ଖୋଲିଛି । ସେଥିରୁ ସର୍ବାଧିକ ୧୨୧ଟି ଦୋକାନ ଜଟଣୀରେ ଅଛି । ଖଣ୍ଡଗିରିରେ ୭୫ଟି, ବାଲିଅନ୍ତାରେ ୪୮ଟି, ଚନ୍ଦ୍ରଶେଖରପୁରରେ ୪୬ଟି, ଇନ୍ଫୋଭ୍ୟାଲିରେ ୪୨ଟି, ମଞ୍ଚେଶ୍ୱରରେ ୨୭ଟି, ବଡ଼ଗଡ଼ରେ ୨୦ଟି, ନୂଆପଲ୍ଲୀରେ ୧୯ଟି, ପାହାଳରେ ୧୦ଟି, ତମାଣ୍ଡୋରେ ୯ଟି, ଏୟାରଫିଲ୍ଡ ଓ ଧଉଳିରେ ୮ଟି ଲେଖାଏଁ ବାଣ ଦୋକାନ ଖୋଲିଛି ।





