
ଭୁବନେଶ୍ୱର: ବୁଧବାର ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଉକ୍ତ ବୈଠକରେ ଗୃହ ସଚିବ, ପୁଲିସ ଡିଜି, ଗୁଇନ୍ଦା ନିଦେ୍ର୍ଧଶକ ଓ ପୁଲିସ କମିଶନର ପ୍ରମୁଖ ଉପସ୍ଥିତ ଥିବା ଜଣାଯାଇଛି । ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତକୁ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ବୈଠକ ଡାକିଥିବା ସୂଚନା ମିଳିଛି ।
କ୍ରମାଗତ ଭାବେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି । ସରକାରଙ୍କ ଉଦାସୀନତା ମନୋଭାବ ଯୋଗୁଁ ଏଭଳି ଘଟଣା ବାରମ୍ବାର ଘଟୁଛି । ଏସଆଇ ନିଯୁକ୍ତି ଦୁର୍ନୀତି, କଟକ ଗୋଷ୍ଠୀ ସଂଘର୍ଷ, ବସ ଭିତରେ ଯାତ୍ରୀଙ୍କୁ ଆକ୍ରମଣ ଆଦି ଏହାର ଉଦାହରଣ । ଏମିତିକି ଶାସକ ଦଳର ନେତା ତଥା ଆଇନଜୀବୀଙ୍କୁ ପଏଣ୍ଟ ବ୍ଲାଙ୍କ ରେଞ୍ଜରେ ହତ୍ୟାକରି ଅପରାଧି ଖସିଯାଉଛନ୍ତି । କଡା ସୁରକ୍ଷା ବଳରେ ଥିବା ଜେଲରୁ ଅପରାଧୀ ଖସିଯିବା ରାଜ୍ୟର ଆଇନ ବ୍ୟବସ୍ଥାର ଦୁର୍ଗତିକୁ ଦର୍ଶାଉଛି । ବିରୋଧୀ ଦଳ ଏଭଳି ସାଂଘାତିକ ଅଭିଯୋଗ ଆଣି ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଘେରିବାରେ ଲାଗିଛନ୍ତି ।




