ରଜ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୃଷିଭିତ୍ତିକ ଗଣପର୍ବ ରଜ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‌କହିଛନ୍ତି, ପ୍ରିୟ ଓଡ଼ିଶାବାସୀ, ଭାଇ ଓ ଭଉଣୀମାନେ, ଓଡ଼ିଆ ଅସ୍ମିତାର ଜୀବନ୍ତ ପରମ୍ପରା, ମୃତ୍ତିକା ଓ ମାତୃଶକ୍ତିର ଅନନ୍ୟ ମହାମିଳନର ମହାଗଣପର୍ବ ‘ରଜ’ ଅବସରରେ ଆପଣ ସମସ୍ତଙ୍କୁ ମୋର ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା।ରଜ କେବଳ ପରିବର୍ତ୍ତିତ ଋତୁଚକ୍ରର ଆବାହନୀ ନୁହେଁ; ଏହା ଆମ ସନାତନ ଚେତନାର ଏକ ମହାନ ସାଂସ୍କୃତିକ ସଂସ୍କାର, ପ୍ରକୃତି ପ୍ରତି କୃତଜ୍ଞତା ଓ ନାରୀତ୍ୱ ପ୍ରତି ଗଭୀର ସମ୍ମାନର ଅନନ୍ୟ ଅଭିବ୍ୟକ୍ତି। ଏହି ପରମ୍ପରା ନାରୀତ୍ୱର ପବିତ୍ରତା, ସୃଜନର ସାମର୍ଥ୍ୟ ଏବଂ ମାତୃତ୍ୱର ଗରିମାକୁ ସର୍ବୋଚ୍ଚ ଆସନ ପ୍ରଦାନ କରି ଓଡ଼ିଆ ଜାତିର ସ୍ୱାଭିମାନକୁ ଏକ ସ୍ୱତନ୍ତ୍ର ଉଚ୍ଚତାରେ ପ୍ରତିଷ୍ଠିତ କରିଛି।

ଆମ ସାଂସ୍କୃତିକ ବିଶ୍ୱାସ ଅନୁଯାୟୀ, ସ୍ୱୟଂ ଭୂଦେବୀ ଏହି ତିନିଦିନ ରଜସ୍ୱଳା ହୋଇ ବିଶ୍ରାମ ନିଅନ୍ତି। ପ୍ରକୃତିର ଏହି ସର୍ଜନାତ୍ମକ ବିଶ୍ରାମକୁ ସମ୍ମାନ ଜଣାଇ ଆମ ଅନ୍ନଦାତାମାନେ କୃଷି କାର୍ଯ୍ୟ ସ୍ଥଗିତ ରଖି ମାଟି ମା’ଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରନ୍ତି। ସେହିପରି, ପ୍ରତ୍ୟେକ ଓଡ଼ିଆ ପରିବାରରେ କନ୍ୟା, ମା’ ଓ ଭଉଣୀମାନଙ୍କୁ ଦୈନନ୍ଦିନ ଦାୟିତ୍ୱରୁ ମୁକ୍ତି ଦେଇ ସେମାନଙ୍କ ସମ୍ମାନ, ସ୍ୱାଧୀନତା ଓ ଆନନ୍ଦର ମହୋତ୍ସବ ଭାବେ ଏହି ପର୍ବକୁ ପାଳନ କରାଯାଏ।

ଯେଉଁ ସଂସ୍କୃତି ଆଗାମୀ ସୃଜନ ପାଇଁ ବିଶ୍ରାମର ଆବଶ୍ୟକତାକୁ ସ୍ୱୀକାର କରେ, ସେହି ସଂସ୍କୃତିର ଉତ୍ତରାଧିକାରୀ ଭାବେ ଏହି ମାନବୀୟ ଓ ବୈଜ୍ଞାନିକ ଦର୍ଶନକୁ ଆଧାର କରି ଆଜି ଆମ ଶାସନ ବ୍ୟବସ୍ଥାରେ ମଧ୍ୟ ମାତୃଶକ୍ତିର ଗରିମା ଓ ସ୍ୱାଭିମାନକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି। ସେହି ଚିନ୍ତାଧାରାର ପ୍ରତିଫଳନ ସ୍ୱରୂପ କର୍ମଜୀବୀ ଭଉଣୀମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଅତିରିକ୍ତ ସାମୟିକ ଛୁଟିର ଐତିହାସିକ ବ୍ୟବସ୍ଥା କରାଯାଇଛି। ସେହିପରି ଆମ ପରିଶ୍ରମୀ ଚାଷୀ ଭାଇମାନଙ୍କ ସ୍ୱେଦବିନ୍ଦୁକୁ ସମୃଦ୍ଧିର ଶସ୍ୟରେ ପରିଣତ କରି ସେମାନଙ୍କ ଜୀବନରେ ପ୍ରଗତି ଓ ସମ୍ମାନର ନୂତନ ଅଧ୍ୟାୟ ରଚନା କରିବା ପାଇଁ ଆମେ ସଂକଳ୍ପବଦ୍ଧ।

ରଜ ଦୋଳିର ଉତ୍ତାଳ ଛନ୍ଦରେ ଆହୁରି ଗତିଶୀଳ ହେଉ ଆମ ବିକାଶର ଯାତ୍ରା, ପୋଡ଼ପିଠାର ମଧୁର ମହକରେ ମହକି ଉଠୁ ଆମର ସାମାଜିକ ସଦ୍ଭାବ ଓ ପାରିବାରିକ ବନ୍ଧନ; ରଜ ପାନର ମାଧୁର୍ଯ୍ୟ ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟରେ ଭରିଦେଉ ନୂତନ ଆଶା, ନୂତନ ଉତ୍ସାହ ଓ ନୂତନ ସଂକଳ୍ପର ଉଲ୍ଲାସ। ଆସନ୍ତୁ, ମା’ ବସୁମତୀଙ୍କ ଆଶୀର୍ବାଦ କାମନା କରି ଏକ ସମୃଦ୍ଧ, ସ୍ୱାଭିମାନୀ, ସଶକ୍ତ ଓ ବିକଶିତ ଓଡ଼ିଶା ଗଠନ ପାଇଁ ପୁନର୍ବାର ଦୃଢ଼ ସଂକଳ୍ପ ନେବା।
ଜୟ ଜଗନ୍ନାଥ!

  • Related Posts

    ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ

    ଦେବଗଡ଼:ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ କରାଯାଇଛି। ଦେବଗଡ କଲେଜସ୍ଥିତ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ଜିଲ୍ଲା ଯୋଗାଣ ଅଧିକାରୀ କିଶୋର ମହାରଣାଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ କବୀନ୍ଦ୍ର ସାହୁ ମୁଖ୍ୟଅତିଥି, ଉପଜିଲ୍ଲାପାଳ ପରୀକ୍ଷିତ…

    Continue reading
    ବ୍ଲକସ୍ତରୀୟ ବରିଷ୍ଠ ନାଗରିକ ମଞ୍ଚର ବୈଠକ

    ଦେବଗଡ଼: ବାରକୋଟସ୍ଥିତ ଡାକବଙ୍ଗଳାରେ ଆଜି ବ୍ଲକ୍‌ସ୍ତରୀୟ ବରିଷ୍ଠ ନାଗରିକ ମଞ୍ଚର ବୈଠକ ଅନୁଷ୍ଠିତ ହୋଇଯାଇଛି। ମଞ୍ଚର ସଭାପତି ପଞ୍ଚାନନ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ବାରକୋଟଠାରେ ନିର୍ମିତ ଶବ ବ୍ୟବଚ୍ଛେଦ ଗୃହ କାର୍ଯ୍ୟକ୍ଷମ କରିବା, ଉଭୟ ବ୍ଲକ୍‌ ଓ ବଣେଇ ଛକରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ