
କଟକ: ରାଜ୍ୟର ପରବର୍ତ୍ତୀ ଡିଜିପି କିଏ ହେବେ ସେ ନେଇ ପ୍ରସ୍ତୁତ ହେବାକୁ ଥିବା ୩ ଜଣିଆ ସମ୍ଭାବ୍ୟ ସଂକ୍ଷିପ୍ତ ନାମ ତାଲିକା ଶୁକ୍ରବାର ଚୂଡ଼ାନ୍ତ ହୋଇପାରିନାହିଁ । ତାଲିକା ପ୍ରସ୍ତୁତି ପାଇଁ ଦିଲ୍ଲୀରେ ବସିଥିବା ଉଚ୍ଚସ୍ତରୀୟ ୟୁପିଏସ୍ସି ଚୟନ କମିଟି ବୈଠକ ଅଧାରେ ଅଟକିଛି । ତେଣୁ ଏବେ ରାଜ୍ୟର ପୁଲିସ ବ୍ୟବସ୍ଥା କାମଚଳା ଡିଜିଙ୍କ ଦ୍ୱାରା ଚାଲିବା ପ୍ରାୟତଃ ଅନୁମାନ କରାଯାଉଛି ।
ପୂର୍ବରୁ ରାଜ୍ୟ ସରକାର ୟୁପିଏସ୍ସି ପାଖକୁ ପଠାଇଥିବା ୧୧ ଜଣିଆ ବରିଷ୍ଠ ଆଇପିଏସ୍ ତାଲିକାରୁ ବର୍ତ୍ତମାନର ଜେଲ୍ ଡିଜି ଥିବା ୧୯୯୩ ବ୍ୟାଚ୍ର ଆଇପିଏସ୍ ସୁଶାନ୍ତ ନାଥଙ୍କ ‘ଇଣ୍ଟେଗ୍ରିଟି’ ପ୍ରମାଣପତ୍ର ଫେରସ୍ତ ନେବାକୁ ଚାହୁଁଛନ୍ତି ବୋଲି ଶୁକ୍ରବାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବୈଠକରେ କହିଥିଲେ । ମାତ୍ର ଏ କଥାକୁ ୟୁପିଏସ୍ସିର ଅଧ୍ୟକ୍ଷ ଡକ୍ଟର ଅଜୟ କୁମାର ଗ୍ରହଣ କରିନଥିଲେ । ଉପଯୁକ୍ତ କାରଣ ବା ପର୍ଯ୍ୟାପ୍ତ ତଥ୍ୟ ନଥାଇ ହଠାତ୍ ଏଭଳି ପ୍ରମାଣପତ୍ର ଫେରସ୍ତ ନେବାକୁ ୟୁପିଏସ୍ସି ବାରଣ କରିଥିଲା । ଏହି କଥାକୁ ନେଇ କିଛି ସମୟ ଆଲୋଚନା ହୋଇଥିଲା । ମାତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ମୁଖ୍ୟ ଶାସନ ସଚିବ ଓ ପୁଲିସ ମହାନିର୍ଦ୍ଦେଶକ ୱାଇ.ବି. ଖୁରାନିଆଙ୍କ ଆଲୋଚନାରେ କିଛି ଠୋସ୍ ନିଷ୍କର୍ସ ବାହାରି ପାରିନଥିଲା । ଫଳରେ ବୈଠକକୁ ୟୁପିଏସ୍ସି ଅଧ୍ୟକ୍ଷ ଅଧାରେ ରଖିଥିଲେ । ବୈଠକ ପରବର୍ତ୍ତୀ ସମୟରେ ପୁଣି ଥରେ ବସିବ । ମାତ୍ର କେବେ ବସିବ ତାହା ଏଯାବତ ସ୍ପଷ୍ଟ ହୋଇନି ।
ଆସନ୍ତା ୧୬ ତାରିଖରେ ଡିଜିପି ୱାଇ.ବି. ଖୁରାନିଆଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଶୁକ୍ରବାର ୩ ଜଣିଆ ତାଲିକା ପ୍ରକାଶ ପାଇଥିଲେ ରାଜ୍ୟ ସରକାର ତା ଉପରେ ନିଷ୍ପତ୍ତି ନେଇ ନୂଆ ପୁଲିସ ମୁଖିଆଙ୍କ ନାଁ ଚୂଡ଼ାନ୍ତ କରିଥାନ୍ତେ । ୧୭ ତାରିଖରୁ ସେ ଦାୟିତ୍ୱ ନେଇଥାନ୍ତେ । ମାତ୍ର ଆଗକୁ ସମୟ କମ୍ ରହିଛି । ତେଣୁ ଡିଜିପି ଶ୍ରୀ ଖୁରାନିଆଙ୍କ କାର୍ଯ୍ୟକାଳ ଶେଷ ହେବା ଭିତରେ ପୁଣି ୟୁପିଏସ୍ସି ବୈଠକ ବସି ୩ ଜଣିଆ ତାଲିକା ପ୍ରସ୍ତୁତ କରାଯିବା ପରେ ରାଜ୍ୟ ସରକାର ନୂଆ ଡିଜି ଚୟନ କରିବା ପ୍ରାୟତଃ ସମ୍ଭବ ନୁହେଁ । ତେଣୁ ଶ୍ରୀ ଖୁରାନିଆଙ୍କ ଅବସର ପରେ ରାଜ୍ୟ ସରକାର କାହାକୁ ଇନ୍ଚାର୍ଜ ଡିଜି ଭାବେ ଦାୟିତ୍ୱ ଦେଇପାରନ୍ତି ।




