
ଭୁବନେଶ୍ୱର: ରାଜ୍ୟର ଜଣେ ଶିକ୍ଷକ ବିଶିଷ୍ଟ ସରକାରୀ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ତୁରନ୍ତ ଅତିରିକ୍ତ ଶିକ୍ଷକ ନିଯୁକ୍ତିକୁ ସରକାର ଗୁରୁତର ସହ ନେଇଛନ୍ତି। ଏନେଇ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଜଣେ ଶିକ୍ଷକଙ୍କ ଭରସାରେ ଚାଲୁଥିବା ସ୍କୁଲଗୁଡ଼ିକୁ ଚିହ୍ନଟ କରି ସେଠାରେ ତୁରନ୍ତ ଆବଶ୍ୟକ ଶିକ୍ଷକ ନିଯୁକ୍ତି କରିବା ସହ ୧୫ ଦିନ ମଧ୍ୟରେ ଏନେଇ ଆବଶ୍ୟକ ବ୍ୟବସ୍ଥା କରିବାକୁ କୁହାଯାଇଛି।ରାଜ୍ୟର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଜଣେ ଶିକ୍ଷକଙ୍କ ଭରସାରେ ଚାଲୁଥିବା ସ୍କୁଲଗୁଡ଼ିକରେ ତୁରନ୍ତ ଅତିରିକ୍ତ ଶିକ୍ଷକ ନିୟୋଜନ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ କଡ଼ା ନିର୍ଦ୍ଦେଶ ଦିଆଯାଇଛି ଜ୍ଝ ଶିକ୍ଷା ଅଧିକାର ଆଇନର ଧାରା ୧୯ ଓ ୨୫ ଅନୁଯାୟୀ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ନ୍ୟୂନତମ ଭିତ୍ତିଭୂମି ସୁବିଧା ସହ ନିର୍ଦ୍ଧାରିତ ଶିକ୍ଷକ ସଂଖ୍ୟା ଓ ଶିକ୍ଷକ-ଛାତ୍ର ଅନୁପାତ ରହିବା ବାଧ୍ୟତାମୂଳକ । ୟୁଡିଆଇଏସଇ ପ୍ଲସ୍ ତଥ୍ୟରୁ ଜଣାପଡ଼ିଛି ଯେ, ରାଜ୍ୟର ବହୁ ସରକାରୀ ପ୍ରାଥମିକ ବିଦ୍ୟାଳୟ ଏବେ ମଧ୍ୟ ମାତ୍ର ଜଣେ ଶିକ୍ଷକଙ୍କ ଭରସାରେ ପରିଚାଳିତ ହେଉଛି ।
ବିଭାଗ ମତରେ, ଏଭଳି ସ୍ଥିତି ଶିକ୍ଷାଦାନର ଗୁଣାତ୍ମକ ମାନକୁ ପ୍ରଭାବିତ କରୁଥିବା ବେଳେ ଶିକ୍ଷା ଅଧିକାର ଆଇନର ବ୍ୟବସ୍ଥା ସହ ମଧ୍ୟ ସଙ୍ଗତିପୂର୍ଣ୍ଣ ନୁହେଁ । ଏହାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଜିଲ୍ଲାପାଳଙ୍କୁ ନିଜ ଜିଲ୍ଲାର ଜଣେ ଶିକ୍ଷକ ବିଶିଷ୍ଟ ବିଦ୍ୟାଳୟଗୁଡ଼ିକର ସ୍ଥିତି ତୁରନ୍ତ ସମୀକ୍ଷା କରିବାକୁ କୁହାଯାଇଛି । ଯେଉଁଠି ଆବଶ୍ୟକ ସେଠାରେ ଶିକ୍ଷକଙ୍କ ସମନ୍ୱୟ, ବଦଳି କିମ୍ବା ନିୟୋଜନ ମାଧ୍ୟମରେ ପ୍ରତ୍ୟେକ ବିଦ୍ୟାଳୟରେ ନ୍ୟୂନତମ ଶିକ୍ଷକ ସଂଖ୍ୟା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୫ ଦିନ ମଧ୍ୟରେ ଏ ସମ୍ପର୍କରେ ନିଆଯାଇଥିବା ପଦକ୍ଷେପର ଆକ୍ସନ ଟେକେନ୍ ରିପୋର୍ଟ (ଏଟିଆର୍) ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଦାଖଲ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ କୁହାଯାଇଛି।




