
ଭୁବନେଶ୍ୱର: ଆସନ୍ତା ୨୦୨୭ ବର୍ଷ ପାଇଁ ସରକାରୀ ଛୁଟି ତାରିଖ ପ୍ରକାଶ ପାଇଛି । ପର୍ବପର୍ବାଣୀ, ସ୍ମରଣୀୟ ଦିବସ ପାଇଁ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଏବଂ ରାଜସ୍ୱ ଓ ମ୍ୟାଜିଷ୍ଟେରିଆଲ୍ କୋର୍ଟ (କାର୍ଯନିର୍ବାହୀ) ପାଇଁ ଛୁଟି ଘୋଷଣା କରାଯାଇଛି । ୨୦୨୭ରେ ୨୯ଟି ସରକାରୀ ଛୁଟି ରହିଛି । ୪ଟି ଅପ୍ସନାଲ୍ ଛୁଟି ତାଲିକା ରହିଛି । ଏହି ଅପ୍ସନାଲ୍ ଛୁଟିରୁ ଗୋଟିଏ ଛୁଟିକୁ କର୍ମଚାରୀମାନେ ନେଇପାରିବେ । ଏଥିପାଇଁ କ୍ଷମତାପନ୍ନ କର୍ତ୍ତୃପକ୍ଷଙ୍କ ଲିଖିତ ଅନୁମତି ନେବାକୁ ହେବ । ଏଥିସହ ତାଲିକାଭୁକ୍ତ ଥିବା ଉତ୍ସବ କିମ୍ବା ସ୍ମରଣୀୟ ଦିବସଗୁଡ଼ିକ ରବିବାର କିମ୍ବା ଦ୍ୱିତୀୟ ଓ ଚତୁର୍ଥ ଶନିବାର ଦିନ ପଡ଼ୁଥିବାରୁ ସେହି ଦିନଗୁଡ଼ିକ ବିଶେଷ ଭାବେ ଛୁଟି ଘୋଷଣା କରାଯାଇନାହିଁ । ଅର୍ଥାତ୍ ଆସନ୍ତାବର୍ଷ ୬ଟି ଛୁଟି ସରକାରୀ କର୍ମଚାରୀମାନେ ହରାଇବେ ।
ବିଭାଗର ସୂଚନା ଅନୁଯାୟୀ, ମକର ସଂକ୍ରାନ୍ତି, ଗଣତନ୍ତ୍ର ଦିବସ, ବସନ୍ତ ପଞ୍ଚମୀ, ମହାଶିବରାତ୍ରୀ, ଇଦ୍ ଉଲ୍ ଫିଦର, ଦୋଳ ପୂର୍ଣ୍ଣିମା, ହୋଲି, ଗୁଡ୍ ପ୍ରାଇଡେ, ଉତ୍କଳ ଦିବସ, ମହାବିଷୁବ ସଂକ୍ରାନ୍ତି, ଶ୍ରୀରାମ ନବମୀ, ଇଦ୍ ଉଲ୍ ଜୁହା, ବୁଦ୍ଧଦେବ ଜୟନ୍ତୀ, ସାବିତ୍ରୀ ଅମାବାସ୍ୟା, ପହିଲି ରଜ, ରଜ ସଂକ୍ରାନ୍ତି, ମହରମ୍, ରଥଯାତ୍ରା, ଝୁଲଣା ପୂର୍ଣ୍ଣିମା, ଜନ୍ମାଷ୍ଟମୀ, ଗଣେଷ ପୂଜା, ନୂଆଖାଇ ପରଦିନ, ମହାଳୟା, ଗାନ୍ଧୀ ଜୟନ୍ତୀ, ମହା ସପ୍ତମୀ, ମହା ଅଷ୍ଟମୀ, ମହା ନବମୀ, କୁମାର ପୂର୍ଣ୍ଣିମା, ଦୀପାବଳିକୁ ମିଶାଇ ମୋଟ ୨୯ଟି ଛୁଟି ରହିଛି ।
ସେହିପରି ଅପ୍ସନାଲ୍ ଛୁଟି ଭାବେ ଗୁରୁ ଗୋବିନ୍ଦ ସିଂହଙ୍କ ଜନ୍ମଦିନ, ବାହୁଡ଼ା ଯାତ୍ରା, ବ୍ରାହ୍ମ ସମାଜର ପ୍ରତିଷ୍ଠା ଦିବସ, ଖ୍ରୀଷ୍ଟମାସ ପୂର୍ବଦିନକୁ ମିଶାଇ ୪ଟି ଛୁଟିରୁ ଯେକୌଣସି ଗୋଟିଏ ଦିନକୁ ବାଛିପାରିବେ । କିନ୍ତୁ ଆସନ୍ତାବର୍ଷ ୨୯ ସରକାରୀ ଛୁଟିକୁ ବାଦ୍ ଦେଇ ଆଉ ୬ଟି ସରକାରୀ ଛୁଟି ଥିଲା । ମାତ୍ର ଏହି ଦିନରେ ରବିବାର ଏବଂ ଦ୍ୱିତୀୟ ଓ ଚତୁର୍ଥ ଶନିବାର ପଡ଼ୁଥିବାରୁ କର୍ମଚାରୀଙ୍କ ଛୁଟି ମାଡ଼ ଖାଇଲା । ଯେପରିକି ସୁବାଷ ଚନ୍ଦ୍ର ବୋଷ ଜୟନ୍ତୀ ଓ ଖ୍ରୀଷ୍ଟମାସ ଚତୁର୍ଥ ଶନିବାର ପଡ଼ୁଥିବା ବେଳେ ସ୍ୱାଧୀନତା ଦିବସ, ନୂଆଖାଇ, ବିଜୟା ଦଶମୀ, ରାହାସ ପୂର୍ଣ୍ଣିମା ତଥା କାର୍ତ୍ତିକ ପୂର୍ଣ୍ଣିମା ରବିବାର ଦିନ ଅଛି । ତେଣୁ ଏହି ୬ଟି ଛୁଟି ସରକାରୀ କର୍ମଚାରୀଙ୍କ ମାଡ଼ ଖାଇଲା । ସୂଚନାଯୋଗ୍ୟ, ଗତବର୍ଷ ମଧ୍ୟ ୬ଟି ସରକାରୀ ଛୁଟି ଏହି କାରଣରୁ ମାଡ଼ ଖାଇଥିଲା ।




