
କଟକ: HRMS ପୋର୍ଟାଲରେ ଜାଲ୍ ବିଲ୍ କରିବା ପଡିଲା ମହଙ୍ଗା । ୩.୦୩ କୋଟି ଟଙ୍କା ହଡ଼ପ ଅଭିଯୋରେ ଗିରଫ ହେଲେ କେନ୍ଦ୍ରାପଡା ଡେରାବିଶ ବ୍ଲକର ବରିଷ୍ଠ ରାଜସ୍ୱ ସହାୟକ ଶଶିକାନ୍ତ ରଣା ।ଅବସରପ୍ରାପ୍ତ ଓ ମୃତ କର୍ମଚାରୀଙ୍କ ନାମରେ ଜାଲ୍ ବିଲ୍ ପ୍ରସ୍ତୁତ କରି ସରକାରୀ ଅର୍ଥ ହଡ଼ପ କରିବା ଅଭିଯୋଗରେ ତାଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ । ଏହି ଅର୍ଥ ହଡ଼ପର ପରିମାଣ ୩ କୋଟି ୩ ଲକ୍ଷ ୬୫ ହଜାର ୮୪୩ ଟଙ୍କା ବୋଲି ତଦନ୍ତରୁ ଜଣାପଡ଼ିଛି।
ଖବର ଅନୁସାରେ, ଦୀର୍ଘଦିନ ଧରି ଫେରାର ଥିବା ଅଭିଯୁକ୍ତଙ୍କୁ ଡିଜିଟାଲ୍ ଟ୍ରାକିଂ ମାଧ୍ୟମରେ ଅନୁଗୋଳରୁ ଗିରଫ କରିଛି ଭିଜିଲାନ୍ସ ଟିମ୍। ଅଭିଯୁକ୍ତ ଶଶିକାନ୍ତ ରଣା ଦୁଇଟି ବ୍ଲକରେ କାର୍ଯ୍ୟରତ ଥିବା ସମୟରେ ସରକାରୀ ଅର୍ଥ ହଡ଼ପ କରିଥିଲେ। ସେ ଏଷ୍ଟାବ୍ଲିସମେଣ୍ଟ ସେକ୍ସନର ଦାୟିତ୍ୱରେ ଥିବାବେଳେ କର୍ମଚାରୀଙ୍କ ଦରମା, ବକେୟା ଦରମା ଓ ପେନସନ୍ ଆଦି ବିଲ୍ ପ୍ରକ୍ରିୟାକରଣ କରୁଥିଲେ। ୩୦ ଅଗଷ୍ଟ ୨୦୨୩ରୁ ୪ ସେପ୍ଟେମ୍ବର ୨୦୨୪ ପର୍ଯ୍ୟନ୍ତ ରାଜକନିକା ବ୍ଲକରେ କାର୍ଯ୍ୟରତ ଥିବା ସମୟରେ ସେ ୧ କୋଟି ୪୬ ଲକ୍ଷ ୬୮ ହଜାର ୧୧୮ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି।
ସେହିପରି ଜାନୁଆରୀ ୨୦୨୫ରୁ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ଡେରାବିଶ ବ୍ଲକ ରେ କାର୍ଯ୍ୟରତ ଥିବା ସମୟରେ ୧ କୋଟି ୫୬ ଲକ୍ଷ ୯୭ ହଜାର ୭୨୫ ଟଙ୍କା ହଡ଼ପ କରିଥିବା ତଦନ୍ତରୁ ଜଣାପଡ଼ିଛି ।ଅଭିଯୁକ୍ତ HRMS ପୋର୍ଟାଲରେ ଅବସରପ୍ରାପ୍ତ ଓ ମୃତ କର୍ମଚାରୀଙ୍କ ନାମରେ ଜାଲ୍ ଦାବି ପ୍ରସ୍ତୁତ କରି ଦରମା, ବକେୟା ଦରମା, ଗ୍ରାଚ୍ୟୁଇଟି, ଅବ୍ୟବହୃତ ଛୁଟି ବାବଦ ଅର୍ଥ ଓ ପେନସନ୍ ଟଙ୍କା ଉଠାଉଥିଲେ । ପ୍ରକୃତ ହିତାଧିକାରୀଙ୍କ ବ୍ୟାଙ୍କ ଖାତା ବଦଳରେ ନିଜର ଏବଂ ପରିବାର ସଦସ୍ୟଙ୍କ ସମେତ ଜଣେ ସମ୍ପର୍କୀୟଙ୍କ ବ୍ୟାଙ୍କ ଖାତା ନମ୍ବର ଦେଇ ଏହି ଟଙ୍କା ସ୍ଥାନାନ୍ତର କରୁଥିଲେ । ଏଥିପାଇଁ SBI, ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ଇଣ୍ଡିଆନ୍ ବ୍ୟାଙ୍କର ଖାତା ବ୍ୟବହାର ହୋଇଥିବା ଜଣାପଡ଼ିଛି ।





