
ଦେବଗଡ଼:ଦୁର୍ଗମ ତଥା ଅପହଂଚ ଗ୍ରାମର ବିକାଶ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଜନହିତକର ଯୋଜନା କରୁଥିବାବେଳେ ଆଜି ବି ମଧ୍ୟ ପାହାଡ ଉପରେ ଥିବା ଗ୍ରାମଗୁଡିକ ନିକଟରେ ପଂହଚି ପାରୁନି।ସମସ୍ତ ବ୍ୟବସ୍ଥା ଅଛି,କିନ୍ତୁ ତାର ସଠିକ ସୁଫଳ ଲୋକମାନେ ପାଇ ପାରୁନାହାଁନ୍ତି। କିନ୍ତୁ ବିକାଶ ଆଜି ବି ସେମାନଙ୍କ ପାଇଁ ଅପହଂଚ।ସରକାର ଯୋଜନା କରୁଛନ୍ତି ସତ ହେଲେ ତଳସ୍ତରରେ ଏହାର ସଠିକ ବିନିଯୋଗ ହୋଇପାରୁନଥିବା ଦେଖିବାକୁ ମିଳିଛି।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଉପାନ୍ତ ଅଂଚଳରେ ବସବାସ କରୁଥିବା ତିଲେଇବଣି ବ୍ଲକର କଂସର ପଂଚାୟତର ବସବାସ କରୁଥିବା ୪ ଗ୍ରାମ ବାସିନ୍ଦାଙ୍କ ଦୁଃଖ। ପୂର୍ତ୍ତ ବିଭାଗ ପକ୍ଷରୁ କଂସର-ହିତମ ଭାୟା ବିରିଆମ ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା।ତାହା ବି କେବଳ ଫଳକ ଅଟକିଯାଇଛି,ନା ଆଜି ପର୍ଯ୍ୟନ୍ତ ଉକ୍ତ ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଛି। ଯାହାକୁ ନେଇ ଉକ୍ତ ୪ ଗ୍ରାମ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।ଏନେଇ ବିରିଆମ,ଲଇଣ୍ଡା,ହିରନ ଓ ବାଲିଆମ ଗ୍ରାମବାସୀ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଅଭିଯୋଗ ଶୁଣାଣିରେ ଅଭିଯୋଗ କରିଥିଲେ।ସୂଚନା ଅନୁଯାୟୀ, ଆର୍ଥିକ ବର୍ଷ ୨୦୧୯-୨୦ରେ ପୂର୍ତ୍ତବିଭାଗ ପକ୍ଷରୁ କଂସର-ହିତମ ଭାୟା ବିରିଆମ ଗ୍ରାମକୁ ଦୀର୍ଘ ୧୧ କିମି ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ପଦକ୍ଷେପ ନିଆଯାଇଥିଲା।କିନ୍ତୁ ଉକ୍ତ ରାସ୍ତା କାର୍ଯ୍ୟ ଆରମ୍ଭ ହେବା ତ ଦୂର କଥା କେବଳ ଫଳକରେ ସୀମିତ ହୋଇଯାଇଛି ଉକ୍ତ ରାସ୍ତା କାର୍ଯ୍ୟ। ବିରିଆମ,ଲଇଣ୍ଡା,ହିରନ ଓ ବାଲିଆମ ଗ୍ରାମକୁ ଆଜି ବି ଉକ୍ତ ଅଂଚଳକୁ ଯିବାପାଇଁ ଭଲ ରାସ୍ତା ଖଣ୍ଡିଏ ନାହିଁ ।ଭଲ ରାସ୍ତା ନଥିବା ଯୋଗୁଁ ଗ୍ରାମବାସୀମାନେ ପାହାଡି ରାସ୍ତା ଅତିକ୍ରମ କରି ମୁଖ୍ୟ ରାସ୍ତାକୁ ଆସି ସରକାରୀ କାର୍ଯ୍ୟଠାରୁ ଆରମ୍ଭ କରି କୌଣସି କାର୍ଯ୍ୟ ପାଇଁ ଦେବଗଡ଼ ସହର ତଥା ପଂଚାୟତ କାର୍ଯ୍ୟାଳୟକୁ ଆସିଥାନ୍ତି। ଉକ୍ତ ରାସ୍ତା କାର୍ଯ୍ୟ ଆରମ୍ଭ କରିବା ପାଇଁ ବିଭିନ୍ନ ସମୟରେ ଅଭିଯୋଗ ମଧ୍ୟ କରୁଛନ୍ତି, କିନ୍ତୁ ମିଳୁଛି କେବଳ ପ୍ରତିଶ୍ରୁତି।ତେବେ ଉକ୍ତ ଗ୍ରାମରେ ସରକାରୀ ଯୋଜନା ପଂହଚିଛି,ସତ କିନ୍ତୁ ହେଲେ ତାହା କାଗଜ କଲମରେ ସୀମିତ ରହିଯାଇଛି।ଉପାନ୍ତ ଅଂଚଳରେ ପ୍ରଶାସନ କି ଜନପ୍ରତିନିଧିଙ୍କ କାହାରି ଦୃଷ୍ଟି ପଡୁ ନଥିବା ବେଳେ ଏଭଳି ପରିସ୍ଥତିରେ ଭାଗ୍ୟକୁ ଆଦରି ବଞ୍ଚିବା ପାଇଁ ସଂଘର୍ଷ ଜାରି ରଖିଛନ୍ତି ଗ୍ରାମବାସୀ। ତେବେ ଏଥିପ୍ରତି ଜିଲ୍ଲାପ୍ରଶାସନର କେବେ ଦୃଷ୍ଟି ପଡୁଛି ତାହା ଦେଖିବାର ଅଛି।




