
ଦେବଗଡ଼:ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଳକର ସାମନ୍ତରାପାଲି ଗ୍ରାମରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଆଜି ‘ଏକ୍ ପେଡ୍ ମା କେ ନାମ ୩.୦ ଅଭିଯାନ ଓ ୭୭ତମ ବନ ମହୋତ୍ସବ ସପ୍ତାହ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟଅତିଥି ଭାବେ ଯୋଗ ଦେଇ ପରିବେଶର ସୁରକ୍ଷା,ଜଳବାୟୁ ପରିବର୍ତ୍ତନର ମୁକାବିଲା ଏବଂ ସବୁଜ ପରିବେଶ ସୃଷ୍ଟି ପାଇଁ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ପାଇଁ କହିଥିଲେ। ଏହାସହିତ ଜିଲ୍ଲାରେ ବୃକ୍ଷରୋପଣ ଅଭିଯାନକୁ ବ୍ୟାପକ କରିବା ସହ ସଚେତନତା ପାଇଁ ବନବିଭାଗର ଏକ ଭ୍ରାମ୍ୟମାଣ ସବୁଜ ରଥର ମଧ୍ୟ ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମରେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ,ଜିଲ୍ଲାପାଳ କବୀନ୍ଦ୍ର ସାହୁ,ଏସପି କିଶୋର ଚନ୍ଦ୍ର ମୁଣ୍ଡ, ରାଉଲକେଲା ଆରସିସିଏଫ ରାମାସ୍ବାମୀ ପି,ଡିଏଫଓ ରଶ୍ମୀ ଜୀ ,ସାଂସଦଙ୍କ ପ୍ରତିନିଧି ସୁବାସ ଚନ୍ଦ୍ର ପାଣିଗ୍ରାହୀ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବନ ସୁରକ୍ଷା ସମିତି ଓ ଏସଏଚଜି ଗ୍ରୁପକୁ ସମ୍ମାନିତ କରାଯାଇଥିଲା।ଏସିଏଫ ସ୍ୱାଧୀନତା ସାହାଣୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ଏଏସିଏଫ ଅରୁଣ ବେହେରା ଧନ୍ୟବାଦ ଦେଇଥିଲେ। ଏହାପରେ ଉପମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ଅତିଥି ଚାରାରୋପଣ କରିଥିଲେ।




