
ଦେବଗଡ଼:ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସ୍ୱତନ୍ତ୍ର ସଘନ ସଂଶୋଧନ(ଏସଆଇଆର)ର ଖସଡ଼ା ମତଦାତା ତାଲିକା ପ୍ରକାଶ କରାଯାଇଛି। ଆଜି ଜିଲ୍ଲାପାଳ କବୀନ୍ଦ୍ର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସଆଇଆର ଉଦ୍ଦେଶ୍ୟ ଓ ଖସଡ଼ା ମତଦାତା ତାଲିକା ପ୍ରକାଶ ଏବଂ ଆଜି ଠାରୁ ୫.୦୭.୨୦୨୬ରୁ ୪.୮.୨୦୨୬ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଗ୍ରହଣ ପ୍ରକ୍ରିୟା ଏବଂ ଏହି ପ୍ରକ୍ରିୟାରେ ରାଜନୈତିକ ଦଳମାନଙ୍କ ଭୂମିକା ସମ୍ପର୍କରେ ସୂଚନା ଦେଇଥିଲେ। ଖସଡ଼ା ମତଦାତା ତାଲିକା ପ୍ରକାଶ ପୂର୍ବରୁ ସମୁଦାୟ ମତଦାତା ସଂଖ୍ୟା ୨,୪୪,୪୭୫ ଥିଲା। ସ୍ୱତନ୍ତ୍ର ସଘନ ସଂଶୋଧନ ସମୟରେ ୧୧,୦୦୪ ଜଣ ମତଦାତାଙ୍କର ଗଣନା ଫର୍ମ ସଂଗ୍ରହ କରାଯାଇପାରି ନ ଥିବାରୁ ନିର୍ଦ୍ଧାରିତ ନିୟମାନୁସାରେ ସେମାନଙ୍କ ନାମ ଖସଡ଼ା ମତଦାତା ତାଲିକାରୁ ବାଦ ଦିଆଯାଇଛି। ପୂର୍ବରୁ ଦେବଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀରେ ୩୩୮ଟି ମତଦାନ କେନ୍ଦ୍ର ଥିବାବେଳେ ଏହାକୁ ୩୬୭ଟିକୁ ବୃଦ୍ଧି କରାଯାଇଛି। ତେବେ ଜିଲ୍ଲାରେ ୨୯ଟି ନୂତନ ମତଦାନ କେନ୍ଦ୍ର ସୃଷ୍ଟି କରାଯାଇଛି।ଏହାସହ ସମସ୍ତ ରାଜନୈତିକ ଦଳ ଓ ଯୋଗ୍ୟ ମତଦାତାମାନଙ୍କୁ ଖସଡ଼ା ମତଦାତା ତାଲିକା ଯାଞ୍ଚ କରି ଯଦି କୌଣସି ନାମ ସଂଯୋଗ, ସଂଶୋଧନ କିମ୍ବା ଆପତ୍ତି ଥାଏ।ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ ଆବେଦନ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ସାହୁ ଅନୁରୋଧ କରିଛନ୍ତି। ପୂର୍ବରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ଶ୍ରୀ ସାହୁଙ୍କ ସଭାପତିତ୍ବରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ବାଳ, ଉପଜିଲ୍ଲାପାଳ ପରୀକ୍ଷିତ ସାହୁ, ଜିଲ୍ଲା ବିଜେପି ସଭାପତି ଅରୁଣ ସାହୁ, ସହକାରୀ ଜିଲ୍ଲାପାଳ (ନିର୍ବାଚନ) ଏଜଲିନ ବାରାଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଉପସ୍ଥିତ ରହି ଆଲୋଚନା କରିବା ସହ ସମସ୍ତ ସ୍ୱୀକୃତ ରାଜନୈତିକ ଦଳଙ୍କୁ ଖସଡ଼ା ମତଦାତା ତାଲିକାର ହାର୍ଡ କପି, ପେନ୍ ଡ୍ରାଇଭ୍, ଏଏସଡିଡି ତାଲିକା ଏବଂ ନୂତନ ମତଦାନ କେନ୍ଦ୍ରତାଲିକା ପ୍ରଦାନ କରାଯାଇଥିଲା।




