
ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ବସିବ । ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ନେଇ ବିଧାନସଭାରେ ଆଲୋଚନା ପାଇଁ ଦିନକ ପାଇଁ ଏହି ଅଧିବେଶନ ଡକାଯାଇଛି । ଏଥିପାଇଁ ସବୁ ଦଳ ପ୍ରସ୍ତୁତ ରହିଛନ୍ତି । ସଂସଦରେ ମହିଳା ସଂରକ୍ଷଣ ସମ୍ପର୍କିତ ବିଲ୍ କାଟ ଖାଇବା ପରେ ବିରୋଧୀ ଦଳଙ୍କୁ କାଠଗଡ଼ାକୁ ଟାଣିବା ଯୋଜନାରେ ରହିଛି ବିଜେପି । ଅନ୍ୟପଟେ ମହିଳା ସଂରକ୍ଷଣ ନେଇ ସରକାରଙ୍କୁ ଘେରିବାକୁ ବିରୋଧୀ ଦଳ ବି ଅସ୍ତ୍ର ସଜାଇ ବସିଛନ୍ତି ।
ଗୁରୁବାର ପୂର୍ବାହ୍ନ ୧୧ଟାରୁ ଅଧିବେଶନ ଆରମ୍ଭ ହେବ । ସିଧା ବିଷୟବସ୍ତୁକୁ ନେଇ ଆଲୋଚନା ଆରମ୍ଭ କରାଯିବ । ଏହି ଅଧିବେଶନ ପାଇଁ ଗୁରୁବାର ସକାଳ ସାଢ଼େ ୯ଟାରେ ବିଧାନସଭା ପରିସରରେ ବିଜେପି ବିଧାୟକ ଦଳ ବୈଠକ ଡକାଯାଇଛି । ସମସ୍ତ ବିଧାୟକ ଉପସ୍ଥିତ ରହିବାକୁ କୁହାଯାଇଛି । ବିଜେପିର ଆଭିମୁଖ୍ୟ କିଭଳି ରହିବ, ସେ ନେଇ ବୈଠକରେ ବିଧାୟକମାନଙ୍କୁ ଅବଗତ କରାଯିବ । ସଂସଦରେ ମହିଳା ସଂରକ୍ଷଣ କାଟ୍ ଖାଇବା ପ୍ରସଙ୍ଗରେ ନିନ୍ଦା ପ୍ରସ୍ତାବ ଆଣିପାରନ୍ତି ସରକାରୀ ଦଳ ।
ବିଜେଡି କୌଣସି ସ୍ୱତନ୍ତ୍ର ବୈଠକ ଡାକିନଥିଲେ ମଧ୍ୟ ଦୁଇଦିନ ତଳେ ସମସ୍ତ ବିଧାୟକ ଶଙ୍ଖ ଭବନରେ ବସି ଆଲୋଚନା କରିଥିଲେ । ସ୍ୱତନ୍ତ୍ର ଅଧିବେଶନରେ ନିଜେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଉପସ୍ଥିତ ରହି ସରକାରଙ୍କୁ ସାମ୍ନା କରିବାକୁ ରଣନୀତି ହୋଇଛି । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ବିନା କୌଣସି ନିର୍ଦ୍ଧାରିତ କାର୍ଯ୍ୟରେ ବିଧାନସଭା ଡକାଯାଇଛି । ଏ ଆଲୋଚନା ଜୟଦେବ ଭବନରେ ବି ହୋଇପାରିଥାନ୍ତା । ୨୦୨୩ରେ ମହିଳା ସଂରକ୍ଷଣ ବିଲ୍ ପାରିତ ହୋଇଥିଲା । ୫୪୩ ଲୋକସଭା ଆସନରେ ୩୩% ସଂରକ୍ଷଣ କାହିଁକି ଦେଲେନି? ମହିଳା ସଂରକ୍ଷଣ ବିଲ୍କୁ ସୀମା ନିର୍ଦ୍ଧାରଣ ସହ ମିଶାଇ ଆଣିବା ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଛି । ସରକାରଙ୍କ ପ୍ରକୃତ ମୁଖାକୁ ବିଧାନସଭାରେ ଖୋଲାଯିବ ।
ବୁଧବାର ସନ୍ଧ୍ୟାରେ କଂଗ୍ରେସ ବିଧାୟକ ଦଳ ବୈଠକ ବସିଥିଲା । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି, ନାରୀ ସଂରକ୍ଷଣ ପ୍ରସଙ୍ଗରେ ବିରୋଧୀ ଦଳଙ୍କୁ ବଦନାମ କରିବା ପାଇଁ ସରକାର ଏଭଳି ଅଧିବେଶନ ଡାକିଛନ୍ତି । ହେଲେ କଂଗ୍ରେସ ଦଳ ସବୁବେଳେ ନାରୀ ଶକ୍ତିକୁ ଅଧିକାର ଓ ସମ୍ମାନ ଦେଇଛି । ଦେଶର ପ୍ରଥମ ଓ ଏକମାତ୍ର ମହିଳା ପ୍ରଧାନମନ୍ତ୍ରୀଙ୍କ ନାଁ ଇନ୍ଦିରା ଗାନ୍ଧି । ପ୍ରଥମ ମହିଳା ରାଷ୍ଟ୍ରପତି ଥିଲେ ପ୍ରତିଭା ସିଂ ପାଟିଲ । ଓଡ଼ିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ । ଏସବୁ କଂଗ୍ରେସ ସରକାର ସମୟରେ ହୋଇଥିଲା । ମହିଳା ସଂରକ୍ଷଣ ବିଲକୁ ବି କଂଗ୍ରେସ ସମର୍ଥନ ଦେଇଥିଲା । ମାତ୍ର ବିଜେପି ଦଳ କେବଳ ରାଜନୀତି ଉଦ୍ଦେଶ୍ୟରେ ନାଟକ କରୁଛି । ମା’ଙ୍କୁ ସମ୍ମାନ ଦେଇପାରୁନି ଏ ସରକାର । ବ୍ୟାଙ୍କରୁ ଟଙ୍କା ଉଠାଣ ପାଇଁ ଜିତୁ ମୁଣ୍ଡା ନିଜ ମୃତ ଭଉଣୀର କଙ୍କାଳ ଖୋଳି ବୋହି ବୋହି ନେଲା । ମଲା ପରେ ବି ଜଣେ ମହିଳାଙ୍କୁ ସମ୍ମାନ ଓ ତାଙ୍କ ପରିବାରକୁ ଅଧିକାର ମିଳୁନି । ଦାନ ମାଝୀ ପରେ ଏ ଘଟଣା ଓଡ଼ିଶାକୁ ବିଶ୍ୱ ଦରବାରରେ ଲଜ୍ଜିତ କରିଛି । ଏସବୁ କଥା ବିଧାନସଭାରେ ଉଠାଯିବ ।
ମହିଳା ସଂରକ୍ଷଣ ସମ୍ପର୍କିତ ସମ୍ବିଧାନ ସଂଶୋଧନ ବିଲ୍ ପାରିତ କରିବାକୁ ଗତ ଏପ୍ରିଲ ୧୬ରୁ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିଥିଲେ । ଏହି ବିଲ୍ ପାରିତ ହେବା ପାଇଁ ଦୁଇ ତୃତୀୟାଂଶ ସମର୍ଥନ ଆବଶ୍ୟକ ଥିଲା । ମାତ୍ର ସୀମା ନିର୍ଦ୍ଧାରଣକୁ ନେଇ ସମ୍ବିଧାନ ସଂଶୋଧନ ବିଲ୍କୁ ନେଇ ତୀବ୍ର ବିରୋଧ କରିଥିଲେ ବିରୋଧୀ ଦଳ । ବିରୋଧୀ ଦଳ ସମର୍ଥନ ନ କରିବାରୁ ବିଲ୍ କାଟ୍ ଖାଇଥିଲା । ଏହାପରଠାରୁ ମହିଳା ସଂରକ୍ଷଣକୁ ନେଇ ବିଜେପି ଦେଶବ୍ୟାପୀ ବିରୋଧୀ ଦଳ ବିରୋଧରେ ରାସ୍ତାକୁ ଓହ୍ଲାଇ ପ୍ରତିବାଦ, ବିକ୍ଷୋଭ ଜାରି ରଖିଛି ।
