
ଭୁବନେଶ୍ୱର ଆଜି ମଲକାନଗିରି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ଜନଜାତି ଗୌରବ ଦିବସ ସମାରୋହରେ ଯୋଗଦେବା ସହ ଆଦିବାସୀଙ୍କ ସହ ଭାବ ବିନିମୟ କରିବେ । ଏହାସହ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଓ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ସୁରକ୍ଷା ବ୍ୟବସ୍ଥାଠାରୁ ଆରମ୍ଭ କରି ମଞ୍ଚ ଓ ସଭାସ୍ଥଳର ସମସ୍ତ ଆୟୋଜନକୁ ଚୂଡ଼ାନ୍ତ ରୂପ ଦିଆଯାଉଛି । ଅନ୍ୟପଟେ ଏୟାରପୋର୍ଟଠାରୁ ସଭାସ୍ଥଳ ଡିଏନ୍କେ ଖେଳପଡ଼ିଆ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ନିଜେ ଜିଲ୍ଲାପାଳ ଓ ଏସ୍ପି ବିଭିନ୍ନ ସ୍ଥାନ ବୁଲି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତିକୁ ଶେଷ ପର୍ଯ୍ୟାୟକୁ ନିଆଯାଇଛି ।






