
ରାଜସ୍ଥାନ: ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ଗତ ନଭେମ୍ବର ୩ ତାରିଖରେ ରେଳଧାରଣାରେ ହୋଇଥିବା ବିସ୍ଫୋରଣ ମାମଲାରେ ଏକ ବଡ଼ ଖୁଲାସା ହୋଇଛି । ଏହି ଘଟଣାରେ ପାକିସ୍ତାନର ସମ୍ପୃକ୍ତି ଏବଂ ଏକ ବଡ଼ ଆତଙ୍କବାଦୀ ଷଡ଼ଯନ୍ତ୍ର ସାମ୍ନାକୁ ଆସିଛି । ପୁଲିସର ସୂଚନାନୁସାରେ, ଏହା କୌଣସି ସାମାନ୍ୟ ବିସ୍ଫୋରଣ ନଥିଲା, ବରଂ ପାକିସ୍ତାନର ଗୁପ୍ତଚର ସଂସ୍ଥା ISIର ଇଙ୍ଗିତରେ କରାଯାଇଥିବା ଏକ ଆତଙ୍କବାଦୀ ଆକ୍ରମଣ ଥିଲା । ଏହି ମାମଲାରେ ରାଜସ୍ଥାନ ATS ଏବଂ ଶ୍ରୀଗଙ୍ଗାନଗର ପୁଲିସର ମିଳିତ ଟିମ୍ ପଞ୍ଜାବ ପୁଲିସର ସହଯୋଗରେ ଗୁରୁଦାସପୁରରୁ ଦୁଇ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଅଛନ୍ତି ।
ପଞ୍ଜାବର ଗୁରୁଦାସପୁରରୁ ୨୧ ବର୍ଷୀୟା ମହକଦୀପ କୌର ଏବଂ ୨୨ ବର୍ଷୀୟ ଦବିନ୍ଦର ସିଂହଙ୍କୁ ଗିରଫ କରାଯାଇଛି । ଉଭୟ ଗୁରୁଦାସପୁର ଜିଲ୍ଲାର ବାସିନ୍ଦା ଏବଂ ଲିଭ୍-ଇନ୍ ରିଲେସନସିପ୍ରେ ରହୁଥିଲେ । ପୁଲିସ କହିବାନୁସାରେ, ମହକଦୀପ ନିଜ ସ୍ବାମୀଙ୍କଠାରୁ ଅଲଗା ରହୁଥିଲେ ଏବଂ ତାଙ୍କ ସ୍ବାମୀ ନିଶା କାରବାର ଅଭିଯୋଗରେ ଜେଲରେ ଅଛନ୍ତି । ଉଭୟଙ୍କୁ ଶନିବାର ସନ୍ଧ୍ୟାରେ ଗୁରୁଦାସପୁରରୁ ଗିରଫ କରାଯାଇ ଶ୍ରୀଗଙ୍ଗାନଗର ଅଣାଯାଇଛି, ଯେଉଁଠାରେ ସେମାନଙ୍କୁ ପଚରାଉଚରା କରାଯାଉଛି ।
ଏହି ଘଟଣାରେ ହନିଟ୍ରାପ୍ର ଏକ ବଡ଼ ମାମଲା ସାମ୍ନାକୁ ଆସିଛି । ପୁଲିସ ମୁତାବକ, ଧରାପଡ଼ିଥିବା ମହିଳା ଜଣକ ପାକିସ୍ତାନର ଦୁଇ ଜଣ ହ୍ୟାଣ୍ଡଲର୍ଙ୍କ ସଂସ୍ପର୍ଶରେ ଥିଲେ । ଜଣଙ୍କ ନାମ ‘ଚାଚା’ ଏବଂ ଅନ୍ୟ ଜଣଙ୍କ ନାମ ‘ଶାହ’ ବୋଲି ଜଣାପଡ଼ିଛି । ଅଭିଯୋଗ ରହିଛି ଯେ, ପାକିସ୍ତାନୀ ହ୍ୟାଣ୍ଡଲର୍ ମହିଳାଙ୍କ ସହ ରୋମାଣ୍ଟିକ କଥାବାର୍ତ୍ତା କରି ଏବଂ ଟଙ୍କା ଲୋଭ ଦେଖାଇ ଫସାଇଥିଲେ । ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପାକିସ୍ତାନରୁ ଟଙ୍କା ପଠାଯାଇଥିବା ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି । ତଦନ୍ତରୁ ଜଣାପଡ଼ିଛି ଯେ, ରେଳଷ୍ଟ୍ରାକ୍ରେ ବିସ୍ଫୋରଣ କରିବା ପାଇଁ ମହିଳାଙ୍କୁ ଟଙ୍କା ମିଳିଥିଲା । ISI ଏପରି ଏକୁଟିଆ, ଦୁର୍ବଳ ଏବଂ ଆର୍ଥିକ ଅନଟନ ଦେଇ ଗତି କରୁଥିବା ମହିଳାମାନଙ୍କୁ ଟାର୍ଗେଟ୍ କରିଥାଏ । ପ୍ରଥମେ ସେମାନଙ୍କ ସହ ପ୍ରେମାଳାପ କରାଯାଏ, ପରେ ଟଙ୍କାର ଲୋଭ ଦେଖାଇ ଗୁପ୍ତଚର ଏବଂ ଆତଙ୍କବାଦୀ କାର୍ଯ୍ୟକଳାପରେ ସାମିଲ କରାଯାଏ ।
ପୁଲିସ ସୂଚନା ଅନୁଯାୟୀ, ମହିଳାଙ୍କ ପାଖରୁ ୨ଟି ଅସ୍ତ୍ରଶସ୍ତ୍ର ଏବଂ ୩୦ ହଜାର ଟଙ୍କା ଜବତ କରାଯାଇଛି । ଏହି ୩୦ ହଜାର ଟଙ୍କା ବ୍ଲାଷ୍ଟ ପାଇଁ ଦିଆଯାଇଥିବା ଅନୁମାନ କରାଯାଉଛି । ଏହାବ୍ୟତୀତ ପୁଲିସ ଅନ୍ୟ ୩ ଜଣଙ୍କୁ ମଧ୍ୟ ଅଟକ ରଖିଛି, ଯେଉଁମାନେ ଅଭିଯୁକ୍ତଙ୍କୁ ରହିବା ପାଇଁ ସ୍ଥାନ, ବାଇକ୍ ଯୋଗାଇ ଦେବା ଏବଂ ଘଟଣାସ୍ଥଳ ପର୍ଯ୍ୟନ୍ତ ପହଞ୍ଚାଇବାରେ ସାହାଯ୍ୟ କରିଥିବା ସନ୍ଦେହ କରାଯାଉଛି । ଘଟଣା ପୂର୍ବରୁ ଉଭୟ ଅଭିଯୁକ୍ତ ଶ୍ରୀଗଙ୍ଗାନଗରର ଏକ ସ୍ଥାନୀୟ ହୋଟେଲରେ ରହି ରେକି କରିଥିଲେ ।
କହିରଖୁ କି, ଗତ ନଭେମ୍ବର ୩ ତାରିଖ ରାତି ପ୍ରାୟ ୯ଟା ୪୫ ମିନିଟ୍ ସମୟରେ ଶ୍ରୀଗଙ୍ଗାନଗରର ରାମସିଂହପୁର ନିକଟସ୍ଥ ୫୦ ଜିବି ଗ୍ରାମର ଅନୁପଗଡ଼-ସୂରତଗଡ଼ ରେଳଲାଇନରେ ଏହି ବିସ୍ଫୋରଣ ହୋଇଥିଲା । ଏହି ଧାମକାରେ ଦୁଇଟି ସ୍ଲିପର୍ ଭାଙ୍ଗିଯିବା ସହ ରେଳପଟ୍ରିକ୍ କ୍ଷତିଗ୍ରସ୍ତ ହୋଇଥିଲା ଏବଂ ପ୍ରାୟ ଅଢ଼େଇ ଫୁଟ୍ ଗଭୀର ଗାତ ସୃଷ୍ଟି ହୋଇଥିଲା । ସବୁଠାରୁ ଭୟଙ୍କର କଥା ଏହା ଥିଲା ଯେ, ବିସ୍ଫୋରଣର ପ୍ରାୟ ୭୫ ମିନିଟ୍ ପୂର୍ବରୁ ଏହି ଟ୍ରାକ୍ ଦେଇ ଅନୁପଗଡ଼-ସୂରତଗଡ଼ ପାସେଞ୍ଜର ଟ୍ରେନ୍ ଯାଇଥିଲା । ଯଦି ବିସ୍ଫୋରଣ କିଛି ସମୟ ପୂର୍ବରୁ ହୋଇଥା’ନ୍ତା, ତେବେ ଏକ ବଡ଼ ଦୁର୍ଘଟଣା ଘଟି ଶହ ଶହ ଯାତ୍ରୀଙ୍କ ଜୀବନ ପ୍ରତି ବିପଦ ଆସିଥା’ନ୍ତା । ବର୍ତ୍ତମାନ ପୁଲିସ ଏହି ଷଡ଼ଯନ୍ତ୍ରରେ ଆଉ କେଉଁମାନେ ସାମିଲ ଅଛନ୍ତି, ତାହା ଜାଣିବା ପାଇଁ ତଦନ୍ତ ଜାରି ରଖିଛି ।






