
ଭୁବନେଶ୍ୱର: ଲଘୁଚାପ ପ୍ରଭାବରେ ଜାରି ରହିଛି ତୁହାକୁ ତୁହା ବର୍ଷା । ଗତ ୨୪ ଘଣ୍ଟା ଭିତରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଢାଳିଛି । ପାଣିପାଗ ପୂର୍ବାନୁମାନ ଯାହା, ଲଘୁଚାପ ଆହୁରି ଘନୀଭୂତ ହେବ । ଏହା ପ୍ରଭାବରେ ଆସନ୍ତା ୫/୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଲଗାଣ ବର୍ଷା ସମ୍ଭାବନା ଅଛି । ଏହା ପରେ ବର୍ଷା ପ୍ରକୋପ କମିବ । କିନ୍ତୁ, ପାଗ ପୂରା ଶୁଖିଯିବନି । କିଛି କିଛି ସ୍ଥାନରେ ବର୍ଷା ରହିବ । ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ।
ଆଗାମୀ ୨ ଦିନ ଭିତରେ ଏହା ଆହୁରି ଘନୀଭୂତ ହେବା ସମ୍ଭାବନା ଅଛି । ଏପଟେ ଓଡ଼ିଶାରେ ମୌସୁମୀ ପୂରା ସକ୍ରିୟ ରହିଛି । ଗତ ୨୪ ଘଣ୍ଟା ଭିତରେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇଥିବାବେଳେ ବରଗଡ଼, ସମ୍ବଲପୁର, ସୋନପୁର, କନ୍ଧମାଳ, ବଲାଙ୍ଗୀର, ମାଲକାନଗିରି, କେନ୍ଦୁଝର, ଝାରସୁଗୁଡ଼ା ଓ କଟକର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି । ଲଗାଣ ବର୍ଷା ଯୋଗୁ ମାଲକାନଗିରି କାଲିମେଳାର ପିତାପଲ୍ଲୀଘାଟୀରେ ପାହାଡ଼ରୁ ମାଟି ଅତଡ଼ା ଧସିଛି । ରାସ୍ତାରେ ଗଛ, ମାଟି, ପଥର ପଡ଼ି ରହିବାରୁ ୫ଟି ଗାଁକୁ ସନ୍ଧ୍ୟା ପର୍ଯ୍ୟନ୍ତ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ଥିଲା । କୋରାପୁଟର ଲମତାପୁଟରେ ବି ଲଗାଣ ବର୍ଷାରେ ରାସ୍ତାରେ ମାଟି ଅତଡ଼ା ଧସିବା ସହ ବହୁ ଗଛ ଉପୁଡ଼ି ପଡ଼ିଛି । କନ୍ଧମାଳରେ ପ୍ରବଳ ବର୍ଷା ଯୋଗୁ ଦୁଇଦିନ (ଗୁରୁବାର, ଶୁକ୍ରବାର) ସ୍କୁଲ ଛୁଟି ଘୋଷଣା କରାଯାଇଛି । ସୋନପୁରରେ ବର୍ଷା ପାଣି ଗୁଣ୍ଡିଚା ମନ୍ଦିରରେ ପ୍ରବେଶ କରିଛି । ଭୁବନେଶ୍ୱରରେ ମଧ୍ୟ ବିଭିନ୍ନ ରାସ୍ତାରେ ଆଜି ପାଣି ଚାଲିଥିଲା । କଟକ ଭୁଆଶୁଣିପଡ଼ାରେ ପ୍ରବଳ ବର୍ଷା ପାଇଁ ୬ ଲେନ୍ ରାସ୍ତା ଦବିଥିବା ଖବର ଆସିଛି ।
ପାଣିପାଗ ବିଭାଗ ଆକଳନ କରିଛି, ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିବ । ଆସନ୍ତା ଦୁଇଦିନ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ । ଶୁକ୍ରବାର କୋରାପୁଟ, ମାଲକାନଗିରିରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ନେଇ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, ଗଜପତିରେ ପ୍ରବଳରୁ ପ୍ରବଳତର ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଏବଂ ବ ପ୍ରବଳ ବର୍ଷା ସମ୍ଭାବନା ଯୋଗୁ ବାଲେଶ୍ୱର, କଟକ, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୪ ତାରିଖରେ କୋରାପୁଟ ଓ ମାଲକାନଗିରିରେ ରେଡ୍ ୱାର୍ଣ୍ଣିଂ ଏବଂ ଉପକୂଳ ଓଡ଼ିଶା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଅଛି ।
୬ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳରେ ୪୦ରୁ ୬୦ କିମି ପବନ ଆଶଙ୍କା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଆଗାମୀ ଦୁଇ ସପ୍ତାହ ପାଇଁ ଜାରି ପୂର୍ବାନୁମାନରେ କୁହାଯାଇଛି, ୩ରୁ ୧୦ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିସ୍ତାରିତ ଭାବେ ପ୍ରବଳ ବର୍ଷା ହୋଇପାରେ । ୧୦ ତାରିଖରୁ ୧୬ ତାରିଖ ଭିତରେ ପ୍ରବଳ ବର୍ଷା ସମ୍ଭାବନା ନଥିଲେ ମଧ୍ୟ ସ୍ୱାଭାବିକ ବର୍ଷା ହୋଇପାରେ ।




