
ଭୁବନେଶ୍ବର: ରାସାୟନିକ ଓ ପେଟ୍ରୋକେମିକାଲ ଶିଳ୍ପ କ୍ଷେତ୍ରରେ ଓଡ଼ିଶାକୁ ଏକ ପ୍ରମୁଖ ନିବେଶ ଗନ୍ତବ୍ୟ ଭାବେ ପ୍ରତିଷ୍ଠା କରିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ରାଜ୍ୟ ସରକାର ନିଜର ଶିଳ୍ପ ସମ୍ଭାବନାକୁ ଜାତୀୟ ମଞ୍ଚରେ ଉପସ୍ଥାପନ କରିବାକୁ ଯାଉଛନ୍ତି । ଏଥିପାଇଁ ଗୁରୁବାର ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ‘ଇଣ୍ଡିଆ କେମ୍ ୨୦୨୬’ରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦୁଇଦିନିଆ ମୁମ୍ବାଇ ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ୨୦ରୁ ଉର୍ଦ୍ଧ୍ବ ଶିଳ୍ପପତି ଓ ପ୍ରମୁଖ କମ୍ପାନୀ ଗୁଡ଼ିକର ପ୍ରତିନିଧିଙ୍କ ସହ ଆଲୋଚନା କରି ରାଜ୍ୟକୁ ନୂଆ ନିବେଶ ଆଣିବା ଉପରେ ଗୁରୁତ୍ୱ ଦେବେ । କାର୍ଯ୍ୟକ୍ରମର ଉଦଘାଟନୀ ଅଧିବେଶନ ଓ ସିଇଓ ରାଉଣ୍ଡଟେବୁଲ୍ ବୈଠକରେ ମୁଖ୍ୟମନ୍ତ୍ରୀ ଭାଗ ନେବେ । କୋଇଲା ଗ୍ୟାସୀକରଣ ପ୍ରକଳ୍ପ ଉପସ୍ଥାପନ ଯୋଜନା, ବଡ଼ ରାସାୟନିକ ଶିଳ୍ପ ପାର୍କ ପ୍ରତିଷ୍ଠା ନେଇ ହୋଇପାରେ ଘୋଷଣା ।
କେନ୍ଦ୍ର ରସାୟନ ଓ ସାର ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେ.ପି. ନଡ୍ଡା ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ‘ଇଣ୍ଡିଆ କେମ୍ ୨୦୨୬’ର ଉଦଘାଟନ କରିବା ସହ ସିଇଓ ରାଉଣ୍ଡଟେବୁଲ୍ ବୈଠକର ଅଧ୍ୟକ୍ଷତା କରିବେ । ଏହି ମଞ୍ଚ ଜରିଆରେ ଓଡ଼ିଶାର ଶିଳ୍ପ ଭିତ୍ତିଭୂମି, ନିବେଶ ଅନୁକୂଳ ନୀତି, ପ୍ରାକୃତିକ ସମ୍ପଦ ଏବଂ ନୂଆ ଶିଳ୍ପ ପ୍ରତିଷ୍ଠାର ସୁଯୋଗକୁ ଶିଳ୍ପ ଜଗତ ସମ୍ମୁଖରେ ରଖାଯିବ । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଜ୍ୟରେ ନୂଆ ଶିଳ୍ପ ପ୍ରତିଷ୍ଠା ପାଇଁ ନିବେଶ ଆକର୍ଷଣ କରିବା । ଏଥିପାଇଁ ରାସାୟନିକ ଓ ପେଟ୍ରୋକେମିକାଲ କ୍ଷେତ୍ରର ୨୦ରୁ ଅଧିକ ପ୍ରମୁଖ କମ୍ପାନୀର ପ୍ରତିନିଧିଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ପୃଥକ ବୈଠକ କାର୍ଯ୍ୟକ୍ରମ ରହିଛି । ଏହି ଆଲୋଚନାରେ ନୂଆ ନିବେଶ, ଶିଳ୍ପର ସମ୍ପ୍ରସାରଣ, ଡାଉନଷ୍ଟ୍ରିମ ଉତ୍ପାଦନ ଏବଂ ରାଜ୍ୟରେ ନୂଆ ଶିଳ୍ପ ୟୁନିଟ ପ୍ରତିଷ୍ଠା ନେଇ ସମ୍ଭାବନା ଅନୁଧ୍ୟାନ କରାଯିବ । ଏହା ଦ୍ୱାରା ରାଜ୍ୟର ଖଣିଜ ସମ୍ପଦ ଓ ଶିଳ୍ପ ଭିତ୍ତିଭୂମିକୁ ଆଧାର କରି ଅଧିକ ମୂଲ୍ୟଯୁକ୍ତ ଉତ୍ପାଦନ କ୍ଷେତ୍ରରେ ପୁଞ୍ଜିନିବେଶ ବୃଦ୍ଧି କରିବାକୁ ସରକାର ଆଶା ରଖିଛନ୍ତି ।
ଇଣ୍ଡିଆ କେମ୍ ୨୦୨୬ରେ ଓଡ଼ିଶାର ପକ୍ଷରୁ ଏକ ପ୍ରମୁଖ ଆକର୍ଷଣ ହେବ କୋଇଲା ଗ୍ୟାସୀକରଣ ପ୍ରକଳ୍ପ ସମ୍ପର୍କିତ ଉପସ୍ଥାପନ । ଏହା ସହ ରାଜ୍ୟରେ ଏକ ସ୍ୱତନ୍ତ୍ର ଓ ବୃହତ୍ ରାସାୟନିକ ଶିଳ୍ପ ପାର୍କ ପ୍ରତିଷ୍ଠା ସମ୍ପର୍କରେ ମଧ୍ୟ ଘୋଷଣା ହେବାର ସମ୍ଭାବନା ରହିଛି । ଏହି ପାର୍କ ପ୍ରତିଷ୍ଠା ହେଲେ ରାସାୟନିକ ପଦାର୍ଥ, ପେଟ୍ରୋକେମିକାଲ୍ସ, ପ୍ଲାଷ୍ଟିକ ଓ ପ୍ୟାକେଜିଂ ଶିଳ୍ପରେ ନିବେଶ ବୃଦ୍ଧି ପାଇଁ ନୂଆ ସୁଯୋଗ ସୃଷ୍ଟି ହୋଇପାରିବ । ଏଥିସହ ଆନୁଷଙ୍ଗିକ ଶିଳ୍ପ, ଯୋଗାଣ ଶୃଙ୍ଖଳ ଏବଂ ସମନ୍ୱିତ ଉତ୍ପାଦନ ବ୍ୟବସ୍ଥାର ବିକାଶ ହେବା ସହ ନିଯୁକ୍ତି ସୁଯୋଗ ବଢ଼ିବା ଆଶା କରାଯାଉଛି ।
ଦୀର୍ଘ ବର୍ଷ ଧରି ମହାରାଷ୍ଟ୍ର ଓ ଗୁଜରାଟ ଭଳି ରାଜ୍ୟ ରାସାୟନିକ ଓ ପେଟ୍ରୋକେମିକାଲ ଶିଳ୍ପର ପ୍ରମୁଖ କେନ୍ଦ୍ର ଭାବେ ପରିଚିତ । ଏହି କ୍ଷେତ୍ରରେ ଓଡ଼ିଶା ମଧ୍ୟ ନିଜର ସ୍ଥିତିକୁ ସୁଦୃଢ଼ କରିବାକୁ ଉଦ୍ୟମ କରୁଛି । ଖଣିଜ ସମ୍ପଦ, ଖଣି ଓ ଧାତୁ ଶିଳ୍ପରେ ରାଜ୍ୟର ଦୃଢ଼ ଭିତ୍ତିଭୂମି ରହିଛି । ଏହାକୁ ଆଧାର କରି କେବଳ କଞ୍ଚାମାଲ ଉତ୍ପାଦନରେ ସୀମିତ ନରହି ଡାଉନଷ୍ଟ୍ରିମ୍ ଶିଳ୍ପ ଏବଂ ଅଧିକ ମୂଲ୍ୟଯୁକ୍ତ ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ନିବେଶ ବଢ଼ାଇବାକୁ ଯୋଜନା ରହିଛି । ରାସାୟନିକ ଓ ପେଟ୍ରୋକେମିକାଲ୍ ଶିଳ୍ପର ବିକାଶ ଦ୍ୱାରା ପ୍ଲାଷ୍ଟିକ, ପ୍ୟାକେଜିଂ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଉତ୍ପାଦନ କ୍ଷେତ୍ରରେ ନୂଆ ଶିଳ୍ପ ୟୁନିଟ ପ୍ରତିଷ୍ଠାର ସୁଯୋଗ ରହିଛି । ଏହା ରାଜ୍ୟର ଶିଳ୍ପ ଅର୍ଥନୀତିକୁ ବିଧମୁଖୀ କରିବା ସହ ନୂଆ ନିଯୁକ୍ତି ସୃଷ୍ଟିରେ ସହାୟକ ହୋଇପାରିବ ।
କାର୍ଯ୍ୟକ୍ରମରେ ଓଡ଼ିଶା ସହ ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ଗୁଜରାଟ ଓ ତାମିଲନାଡୁ ଭଳି ରାଜ୍ୟ ମଧ୍ୟ ଅଂଶଗ୍ରହଣ କରିବେ । ଦେଶର ରାସାୟନିକ ଓ ପେଟ୍ରୋକେମିକାଲ୍ ଉତ୍ପାଦନ କ୍ଷେତ୍ରରେ ରାଜ୍ୟଗୁଡ଼ିକର ଭୂମିକା ଦିନକୁ ଦିନ ବଢ଼ୁଛି । ଓଡ଼ିଶା ନିଜର ନିବେଶ ସୁଯୋଗକୁ ଦେଶୀୟ ଓ ଅନ୍ତର୍ଜାତୀୟ ଶିଳ୍ପ ସଂସ୍ଥା ଗୁଡ଼ିକ ନିକଟରେ ଉପସ୍ଥାପନ କରିବ ।







