
ଭୁବନେଶ୍ୱର: ‘ଉତ୍କର୍ଷ ଓଡ଼ିଶା’ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଉଦଘାଟନୀ ସମାରୋହରେ ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦଚନ୍ଦ୍ର ସ୍ୱାଇଁ ଯୋଗଦେଇଛନ୍ତି। ‘ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା’ ସମ୍ମେଳନରୁ ଶିଳ୍ପପତି ଓ ଉଦ୍ୟୋଗୀ ବେଶ କିଛି ଆଶା ରଖୁଛନ୍ତି। ଏହି ଦୁଇଦିନିଆ ଶିଳ୍ପ ମହାକୁମ୍ଭ ପାଇଁ ଦେଶବିଦେଶର ନିବେଶକ ଓ ପ୍ରତିନିଧି ପହଞ୍ଚି ସାରିଛନ୍ତି। ଏହି ଅବସରରେ ଏକାଧିକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ୟ୍ୟକ୍ରମ ରହିଛି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କନକ୍ଲେଭ ମାଧ୍ୟମରେ ଓଡ଼ିଶାକୁ ଆଉ ୫ ଲକ୍ଷ କୋଟି ଟଙ୍କାର ନିବେଶ ଆସିବ ବୋଲି ଆଶାବ୍ୟକ୍ତ କରିଛନ୍ତି। ଯାହା ଆମ ରାଜ୍ୟର ଶିଳ୍ପାୟନ କ୍ଷେତ୍ରରେ ନୂଆ ଯୁଗ ହେବ ତଥା ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ମାଧ୍ୟମରେ ୨୦୩୬ ମସିହା ସୁଦ୍ଧା ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ହାସଲ ସମ୍ଭବପର ହୋଇପାରିବ ବୋଲି କହିଛନ୍ତି।




