
ଭୁବନେଶ୍ବର : ରାଜ୍ୟ କ୍ୟାବିନେଟର ୨୮ତମ ବୈଠକ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଏଥିରେ ୧୦ଟି ବିଭାଗର ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି।
ଏଥିମଧ୍ୟରେ ଖାଦ୍ୟ ଓ ଧାନ ସଂଗ୍ରହଣ ନୀତି ୨୦୨୫-୨୬କୁ ମଞ୍ଜୁରୀ ମିଳିଛି। ୨୦୨୫-୨୬ ପାଇଁ ୭୩ ଲକ୍ଷ ଟନ୍ ଖରିଫ ଓ ୨୦ ଲକ୍ଷ ଟନ୍ ରବି ଧାନ ଅର୍ଥାତ୍ ମୋଟ ପ୍ରାୟ ୯୩ ଲକ୍ଷ ଟନ୍ ଧାନ ସଂଗ୍ରହ କରାଯିବ। ଏହାଠାରୁ ଅଧିକ ଧାନ ଯଦି ମଣ୍ଡିକୁ ଆସେ, ତାହା ମଧ୍ୟ ରାଜ୍ୟ ସରକାର କିଣିବେ। ଖରିଫ ବିପଣନ ବର୍ଷ ଅକ୍ଟୋବର ୧ରୁ ଆରମ୍ଭ ହୋଇ ୨୦୨୬ ସେପ୍ଟେମ୍ବର ୩୦ରେ ଶେଷ ହେବ। ନଭେମ୍ବରରୁ ମାର୍ଚ୍ଚ ମଧ୍ୟରେ ଖରିଫ ଓ ମେ’ରୁ ଜୁନ ମଧ୍ୟରେ ରବି ଧାନ ସଂଗ୍ରହ କରାଯିବ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଖାଦ୍ୟ ଓ ଧାନ ସଂଗ୍ରହଣ ନୀତି ୨୦୨୫-୨୬ ସମ୍ପର୍କିତ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏହି ସମୟସୀମା ମଧ୍ୟରେ ଜିଲାଗୁଡ଼ିକ ଧାନ ସଂଗ୍ରହ ଅବଧି ନିର୍ଣ୍ଣୟ କରିବେ। କେବଳ ପଞ୍ଜିକୃତ ଚାଷୀଙ୍କଠାରୁ ବଳକା ଧାନ ସଂଗ୍ରହ କରାଯିବ। ସରକାରଙ୍କୁ ଧାନ ବିକ୍ରି ପାଇଁ ‘ଆଧାର’ ଏକମାତ୍ର ପରିଚୟ ହେବ। ପଞ୍ଜିକୃତ ଯୋଗ୍ୟ ଚାଷୀଙ୍କୁ ଧାନ ସଂଗ୍ରହ ବାବଦ କ୍ରୟ ଦିବସ ଓ ପରିମାଣ ସମ୍ପର୍କରେ ଆଗୁଆ ସୂଚନା ମୋବାଇଲ ଫୋନ୍କୁ ସୂଚାଇ ଦିଆଯିବ। ଧାନ ବିକ୍ରୟ ପାଇଁ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଅଗ୍ରାଧିକାର ଦିଆଯିବ। ରଣ ଧାନ ଓ ଗ୍ରେଡ୍ ଏ ଧାନ ପାଇଁ କ୍ବିଣ୍ଟାଲ ପିଛା ଏମ୍ଏସ୍ପି ଯଥାକ୍ରମେ ୨୩୬୯ ଓ ୨୩୮୯ ଟଙ୍କା ହାରରେ ପ୍ରଦାନ କରାଯିବ।



