
ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ୬ ଟି ବିଭାଗର ୧୧ ଟି ପ୍ରସ୍ତାବରେ ମୋହର ବାଜିଛି । ଅର୍ଥ ବିଭାଗର ୧ଟି, ଆଇନ ବିଭାଗର ୧ଟି, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ୧ଟି, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ୧ଟି, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ୨ ଟି ଏବଂ ଜଳସମ୍ପଦ ବିଭାଗର ୫ ଟି ପ୍ରସ୍ତାବକୁ କ୍ୟାବିନେଟର ସ୍ବୀକୃତି ମିଳିଛି । ଆଗକୁ ପୌର ନିର୍ବାଚନ ଥିବାରୁ ସହରାଞ୍ଚଳ ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି । ସେହିପରି ଜଳସମ୍ପଦ ବିଭାଗ ଉପରେ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି । ବୈଠକ ବାବଦରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ।
ରାଜ୍ୟରେ ସରକାରୀ ମାମଲାର ପରିଚାଳନାକୁ ଅଧିକ ସୁଦୃଢ଼, ସୁବ୍ୟବସ୍ଥିତ ଓ ପ୍ରଭାବଶାଳୀ କରିବା ଲକ୍ଷ୍ୟରେ ରାଜ୍ୟ କ୍ୟାବିନେଟ ଓଡ଼ିଶା ରାଜ୍ୟ ଆଇନ ସେବା (OSLS) କ୍ୟାଡର ନିୟମାବଳୀ, ୨୦୨୬’କୁ ଅନୁମୋଦନ କରିଛି । ଓଡ଼ିଶା ରାଜ୍ୟ ଆଇନ ସେବା କ୍ୟାଡରକୁ ଗୃହ ବିଭାଗରୁ ଆଇନ ବିଭାଗକୁ ସ୍ଥାନାନ୍ତର କରାଯିବା ପରେ ଏହି ନୂଆ ନିୟମାବଳୀ ପ୍ରଣୟନ କରାଯାଇଛି । OSLS କ୍ୟାଡରର ଅଧିକାରୀମାନେ ରାଜ୍ୟ ସରକାରର ବିଭିନ୍ନ ବିଭାଗକୁ ଆଇନଗତ ସହାୟତା ପ୍ରଦାନ କରିବା ସହ ସରକାରୀ ମାମଲାର ସୁଚାରୁ ପରିଚାଳନାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି । ରାଜ୍ୟର ଷ୍ଟେଟ ଲିଟିଗେସନ ପଲିସିର କାର୍ଯ୍ୟକାରୀ ରୂପାୟଣ ଓ ସରକାରୀ ମାମଲାର ସମନ୍ୱୟ ପାଇଁ ଆଇନ ବିଭାଗ ହେଉଛି ନୋଡାଲ ବିଭାଗ । ତେଣୁ OSLS କ୍ୟାଡରର ପ୍ରଶାସନ ଆଇନ ବିଭାଗ ଅଧୀନରେ ରହିଲେ ସରକାରୀ ମାମଲାର ପରିଚାଳନା ଅଧିକ ସୁଦୃଢ଼ ହେବା ସହ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ବଢ଼ିବ । ଅଦାଲତରେ ରାଜ୍ୟ ସରକାରଙ୍କ ପକ୍ଷ ଅଧିକ ପ୍ରଭାବଶାଳୀ ଭାବେ ଉପସ୍ଥାପନ କରାଯାଇପାରିବ । ନୂଆ ନିୟମାବଳୀରେ କ୍ୟାଡର ପରିଚାଳନା, ନିଯୁକ୍ତି, ପଦୋନ୍ନତି, ଜ୍ୟେଷ୍ଠତା ଓ ଅନ୍ୟାନ୍ୟ ସେବା ସମ୍ପର୍କିତ ବିଷୟରେ ସ୍ପଷ୍ଟ ବ୍ୟବସ୍ଥା ରହିଛି । ସେହିପରି ଆଇନ ବିଭାଗକୁ କ୍ୟାଡର କଣ୍ଟ୍ରୋଲିଂ ଅଥରିଟି ଭାବେ ସ୍ୱୀକୃତି ଦିଆଯାଇଛି । ଏହି ନୂତନ ବ୍ୟବସ୍ଥା ସରକାରୀ ମାମଲାର ପ୍ରାତିଷ୍ଠାନିକ ପରିଚାଳନାକୁ ଆହୁରି ସୁଦୃଢ଼ କରିବ । ଏହା ସହ ରାଜ୍ୟର ଲିଟିଗେସନ୍ ପଲିସିର ପ୍ରଭାବଶାଳୀ କାର୍ଯ୍ୟକାରିତାରେ ସହାୟକ ହେବ ।




