
ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ୬ ଟି ବିଭାଗର ୧୧ ଟି ପ୍ରସ୍ତାବରେ ମୋହର ବାଜିଛି । ଅର୍ଥ ବିଭାଗର ୧ଟି, ଆଇନ ବିଭାଗର ୧ଟି, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ୧ଟି, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ୧ଟି, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ୨ ଟି ଏବଂ ଜଳସମ୍ପଦ ବିଭାଗର ୫ ଟି ପ୍ରସ୍ତାବକୁ କ୍ୟାବିନେଟର ସ୍ବୀକୃତି ମିଳିଛି । ଆଗକୁ ପୌର ନିର୍ବାଚନ ଥିବାରୁ ସହରାଞ୍ଚଳ ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି । ସେହିପରି ଜଳସମ୍ପଦ ବିଭାଗ ଉପରେ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି । ବୈଠକ ବାବଦରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ।
ରାଜ୍ୟରେ ସମନ୍ୱିତ ସହରୀକରଣ, ଶିଳ୍ପାୟନ ଓ ଆଞ୍ଚଳିକ ଅର୍ଥନୈତିକ ବିକାଶକୁ ଆହୁରି ଗତିଶୀଳ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଏଥିପାଇଁ ଓଡ଼ିଶା ଡେଭେଲପମେଣ୍ଟ ଅଥରିଟି (ODA) ଆଇନ, ୧୯୮୨ରେ ସଂଶୋଧନ କରାଯିବ । ଏହି ସଂଶୋଧନ ମାଧ୍ୟମରେ ରାଜ୍ୟରେ ଇକୋନୋମିକ୍ ରିଜିଅନ୍ ଡେଭେଲପମେଣ୍ଟ ଅଥରିଟି (ERDA) ଗଠନର ବାଟ ଫିଟିବ । ଓଡ଼ିଶା ଭିଜନ – ୨୦୩୬ ଓ ୨୦୪୭ ଅନୁଯାୟୀ ସହରୀକରଣକୁ ଅର୍ଥନୈତିକ ଅଭିବୃଦ୍ଧିର ପ୍ରମୁଖ ମାଧ୍ୟମ ଭାବେ ବିକଶିତ କରିବା ସହ ଆଧୁନିକ ଭିତ୍ତିଭୂମି, ନିଯୁକ୍ତି, ଯାତାୟାତ ଓ ଉନ୍ନତ ସେବା ପ୍ରଦାନ ଲକ୍ଷ୍ୟ ରଖାଯାଇଛି । ଏହି ଦୃଷ୍ଟିକୋଣକୁ ସାକାର କରିବା ପାଇଁ ଆର୍ଥିକ କରିଡର ଭିତ୍ତିକ ଆଞ୍ଚଳିକ ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି ।
ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପକୁ ପାଇଲଟ ଇକୋନୋମିକ ରିଜିଅନ୍ ଭାବେ ବିକଶିତ କରାଯିବ । ଏହା ସହ ବରଗଡ଼ – ଝାରସୁଗୁଡ଼ା – ସମ୍ବଲପୁର, ବ୍ରହ୍ମପୁର – ଛତ୍ରପୁର – ଗୋପାଳପୁର ଏବଂ ଜୟପୁର – କୋରାପୁଟ – ସୁନାବେଡ଼ା ଅଞ୍ଚଳକୁ ମଧ୍ୟ ପର୍ଯ୍ୟାୟକ୍ରମେ ଏହି ଯୋଜନାରେ ସାମିଲ କରାଯିବ । BKPPER ପାଇଁ ନୀତି ଆୟୋଗଙ୍କ ସହଯୋଗରେ ଏକ ବିସ୍ତୃତ ଆର୍ଥିକ ଯୋଜନା ପ୍ରସ୍ତୁତ ହୋଇଥିବା ବେଳେ ନୂଆ ଆଇନ ମାଧ୍ୟମରେ ପ୍ରତ୍ୟେକ ଇକୋନୋମିକ ରିଜିଅନ ପାଇଁ ସ୍ୱତନ୍ତ୍ର ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯିବ । ଏହା ଦ୍ୱାରା ନିବେଶ ଆକର୍ଷଣ, ନୂତନ ନିଯୁକ୍ତି ସୃଷ୍ଟି, ଆବାସନ, ପରିବହନ ଓ ସହରୀ ସେବାରେ ଉନ୍ନତି ଆସିବ ବୋଲି ସରକାର ଆଶା କରିଛନ୍ତି ।
କେନ୍ଦ୍ର ବଜେଟ୍ ୨୦୨୬-୨୭ରେ ଦେଶର ଚାରିଟି ସିଟି ଇକୋନୋମିକ୍ ରିଜିଅନ୍କୁ ଅର୍ଥନୈତିକ ଅଭିବୃଦ୍ଧିର ଇଞ୍ଜିନ ଭାବେ ଚିହ୍ନଟ କରାଯାଇଛି । ସେଥିମଧ୍ୟରେ ଭୁବନେଶ୍ୱର – କଟକ – ପୁରୀ – ପାରାଦୀପ ଅଞ୍ଚଳ ମଧ୍ୟ ସ୍ଥାନ ପାଇଛି । ସଂଶୋଧନ ବିଲରେ Economic Region ଏବଂ Economic Region Development Authorityର ସଂଜ୍ଞା ଯୋଡ଼ାଯିବା ସହ ODA ଆଇନରେ ଏକ ନୂଆ Chapter IIA ସାମିଲ କରାଯିବ । ଏହା ଫଳରେ ଭବିଷ୍ୟତରେ ନୂଆ ଇକୋନୋମିକ ରିଜିଅନ ଗଠନ ପାଇଁ ବାରମ୍ବାର ନୂଆ ଆଇନ ଆଣିବାର ଆବଶ୍ୟକତା ରହିବ ନାହିଁ । ଏହି ବ୍ୟବସ୍ଥା ମାଧ୍ୟମରେ ବହୁ ଜିଲ୍ଲାକୁ ନେଇ ଗଠିତ ଆର୍ଥିକ କରିଡରଗୁଡ଼ିକର ସମନ୍ୱିତ ପରିଚାଳନା ସମ୍ଭବ ହେବ । ବନ୍ଦର, ଶିଳ୍ପାଞ୍ଚଳ, ସହର, ଧାର୍ମିକ ଓ ପର୍ଯ୍ୟଟନ କେନ୍ଦ୍ର ସହ ଲଜିଷ୍ଟିକ୍ସ ନେଟୱର୍କକୁ ଏକାଠି କରି ରାଜ୍ୟର ଅର୍ଥନୈତିକ ବିକାଶକୁ ନୂଆ ଦିଗ ମିଳିବ ।




