
ଭୁବନେଶ୍ବର: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ୬ ଟି ବିଭାଗର ୧୧ ଟି ପ୍ରସ୍ତାବରେ ମୋହର ବାଜିଛି । ଅର୍ଥ ବିଭାଗର ୧ଟି, ଆଇନ ବିଭାଗର ୧ଟି, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ୧ଟି, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ୧ଟି, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ୨ ଟି ଏବଂ ଜଳସମ୍ପଦ ବିଭାଗର ୫ ଟି ପ୍ରସ୍ତାବକୁ କ୍ୟାବିନେଟର ସ୍ବୀକୃତି ମିଳିଛି । ଆଗକୁ ପୌର ନିର୍ବାଚନ ଥିବାରୁ ସହରାଞ୍ଚଳ ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି । ସେହିପରି ଜଳସମ୍ପଦ ବିଭାଗ ଉପରେ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି । ବୈଠକ ବାବଦରେ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ।
ରାଜ୍ୟରେ କୃଷି ଯାନ୍ତ୍ରୀକରଣକୁ ଅଧିକ ଗତି ଦେବା ଲକ୍ଷ୍ୟରେ କ୍ୟାବିନେଟ ‘କୃଷି ଯନ୍ତ୍ରପାତି, ଉପକରଣ ଏବଂ ଡିଜେଲ ପମ୍ପ ସେଟ୍ ଆଦିର ଲୋକପ୍ରିୟକରଣ’ ଯୋଜନାକୁ ଆହୁରି ୫ ବର୍ଷ ପାଇଁ ବୃଦ୍ଧି କରିଛନ୍ତି । ଏହି ଯୋଜନା ୨୦୨୬-୨୭ରୁ ୨୦୩୦-୩୧ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । ଏଥିପାଇଁ ପ୍ରାୟ ୨,୨୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବାବେଳେ ୩ ଲକ୍ଷ ୭୯ ହଜାର ଚାଷୀ ଉପକୃତ ହେବେ । କୃଷି ଯାନ୍ତ୍ରୀକରଣକୁ ପ୍ରୋତ୍ସାହନ ଦେବା ଏହି ଯୋଜନାର ମୂଳ ଉଦ୍ଦେଶ୍ୟ । ଏହା ଦ୍ୱାରା କୃଷି କାର୍ଯ୍ୟରେ ଶ୍ରମ ହ୍ରାସ, ଉତ୍ପାଦନ ବୃଦ୍ଧି, କାର୍ଯ୍ୟଦକ୍ଷତା ବୃଦ୍ଧି ଏବଂ କୃଷିର ଦୀର୍ଘମିଆଦୀ ସ୍ଥାୟିତ୍ୱକୁ ସୁଦୃଢ଼ କରାଯିବ ।
ଯୋଜନା ଅଧୀନରେ ଟ୍ରାକ୍ଟର, ରୋଟାଭେଟର, ପାୱାର ଟିଲର, କମ୍ବାଇନ ହାରଭେଷ୍ଟର, ଡିଜେଲ ପମ୍ପ ସେଟ ସହ ବିଭିନ୍ନ କୃଷି ଓ ଅମଳ ପରବର୍ତ୍ତୀ ଯନ୍ତ୍ରପାତି କ୍ରୟ ପାଇଁ ଚାଷୀଙ୍କୁ ଭର୍ତ୍ତୁକି ଦିଆଯାଉଛି । ଏହା ଫଳରେ ଚାଷୀମାନେ ଆଧୁନିକ କୃଷି ଯନ୍ତ୍ର ବ୍ୟବହାର କରି ଅଳ୍ପ ସମୟରେ ଅଧିକ କୃଷି କାର୍ଯ୍ୟ ସମ୍ପନ୍ନ କରିପାରୁଛନ୍ତି । ୨୦୨୧-୨୨ରୁ ୨୦୨୫-୨୬ ମଧ୍ୟରେ ଏହି ଯୋଜନା ମାଧ୍ୟମରେ ୨ ଲକ୍ଷ ୫୪ ହଜାର ୭୭୪ ଜଣ ଚାଷୀ ଉପକୃତ ହୋଇଛନ୍ତି । ଏହି ସଫଳତାକୁ ଦୃଷ୍ଟିରେ ରଖି ସରକାର ଯୋଜନାର ସମୟସୀମାକୁ ଆଉ ପାଞ୍ଚ ବର୍ଷ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି ।




