
ଗୋପାଳପୁର : ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ଗୋଳନ୍ଥରା ଠାରେ ଥିବା ଏକ ବେସରକାରୀ କଲେଜର ବିସିଏ ଦ୍ବିତୀୟ ବର୍ଷର ଛାତ୍ରୀ ସ୍ମୃତି ଭୋଳ(୨୦) ଶନିବାର କଲେଜ ପରିସର ହଷ୍ଟେଲ କୋଠରୀରେ ଆତ୍ମହତ୍ୟା କରିବା ଘଟଣାରେ ପୁଲିସ ଆଜି ଅଭିଯୁକ୍ତ ତଥା ପୁରୁଷବନ୍ଧୁ ବିଶ୍ବଜିତ ଜେନା ଓରଫ୍ ପପୁ(୨୪)ଙ୍କୁ ଗିରଫ କରିଛି। ଅଭିଯୁକ୍ତ ବିଶ୍ବଜିତ ହେଉଛନ୍ତି ଖଣି ଓ ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଜେନାଙ୍କ ପୁୁତୁରା। ମୃତ ଛାତ୍ରୀଙ୍କ ପରିବାରର ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ବିଏନ୍ଏସର ଧାରା ୧୦୮ ଅନୁସାରେ ବିଶ୍ବଜିତଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ବିଶ୍ବଜିତଙ୍କୁ ଥାନାକୁ ଡାକି ପଚରାଉଚରା କରିଥିଲା। ରବିବାର ରାତିରେ ବିଶ୍ବଜିତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଇତିମଧ୍ୟରେ ପୁଲିସ ସ୍ମୃତିଙ୍କ ଲାପଟପ ଓ ମୋବାଇଲ ଫୋନକୁ ନେଇ ମଧ୍ୟ ଯାଞ୍ଚ ଆରମ୍ଭ କରିଛି। ମୃତ ସ୍ମୃତିଙ୍କ ମାମୁଙ୍କ ଅଭିଯୋଗ ଆଧାରରେ ସ୍ମୃତି ସହ ବିଶ୍ବଜିତଙ୍କ ସମ୍ପର୍କ ଏବଂ ସ୍ମୃତିକୁ ବିଶ୍ବଜିତ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ଅଭିଯୋଗ ଉପରେ ମଧ୍ୟ କଲେଜରେ ପୁଲିସ ସ୍ମୃତିଙ୍କ ସହପାଠୀଙ୍କୁ ମଧ୍ୟ ପଚରାଉଚରା କରୁଛି। ଅନ୍ୟପଟେ ସ୍ମୃତିଙ୍କ ବ୍ୟବଛେଦ ରିପୋର୍ଟ ଆସିବା ପରେ ସେ ପ୍ରକୃତରେ ଆତ୍ମହତ୍ୟା କରିଛନ୍ତି ନା’ ସ୍ମୃତିଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟା ରୂପ ଦିଆଯାଇଥିବା ନେଇ ମାମୁ ସମେତ ପରିବାର କରିଥିବା ଅଭିଯୋଗର ସତ୍ୟତା ଜଣାପଡ଼ିବ ବୋଲି ପୁଲିସ ସୂଚନା ଦେଇଛି। ଅନ୍ୟପକ୍ଷରେ ରବିବାର ଅପରାହ୍ନରେ ଗୋପାଳପୁର ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ବ୍ରହ୍ମପୁରରେ ଅାୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ଅଭିଯୁକ୍ତ ଥିବା ଖଣି ମନ୍ତ୍ରୀଙ୍କ ପୁତୁରା ତଥା ଅଭିଯୁକ୍ତ ବିଶ୍ବଜିତ ଜେନାଙ୍କୁ ଗିରଫ କରାଯାଇଥିଲା। ରାଜନୈତିକ ପ୍ରଭାବ ରହିଥିବା ଯୋଗୁଁ ପୁଲିସ ତଦନ୍ତ ଉପରେ ବିଜେଡି ନେତାମାନେ ସନ୍ଦେହ ପ୍ରକାଶ କରିବା ସହିତ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ଦାବି କରିଛନ୍ତି।
ଏଠଶରେ ଉଲ୍ଲେଖେଯାଗ୍ୟ, ଶନିବାର ସ୍ମୃତି ଭୋଳ(୨୦) ହଷ୍ଟେଲରେ ପଙ୍ଖାରେ ଲୁଗା ଲଗାଇ ଆତ୍ମହତ୍ୟା କରିଥିଲେ। ଗଞ୍ଜାମ ଜିଲା ବୁଗୁଡ଼ା ନିକଟସ୍ଥ ଘୋଡାପଡା ଗ୍ରାମର ସ୍ମୃତି କଲେଜ ହଷ୍ଟେଲରେ ସାନ ଭଉଣୀଙ୍କ ସହିତ ୫ ଜଣ ସାଙ୍ଗ ହୋଇ ରହୁଥିଲେ। ଶୁକ୍ରବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ସମସ୍ତେ ଏକାଠି ବସି ପାଠ ପଢ଼ୁଥିଲେ । ସକାଳେ ତାଙ୍କ ସାନ ଭଉଣୀ ଉଠିଲା ବେଳେ ପାର୍ଶ୍ୱରେ ଥିବା ଏକ ରୁମରେ ସ୍ମୃତି ସିଲିଂ ଫ୍ୟାନରେ ଝୁଲି ପଡ଼ିଥିବା ଦେଖିବାକୁ ପାଇଥିଲେl ସ୍ମୃତିଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।




