
ଭୁବନେଶ୍ବର: ଓଡ଼ିଶାରେ ସାମାଜିକ ସୁରକ୍ଷା ଏବଂ ଭତ୍ତା ବଣ୍ଟନକୁ ନେଇ ଚାଲିଥିବା ରାଜନୈତିକ ବୟାନବାଜି ଭିତରେ ବାସ୍ତବ ଚିତ୍ର କ’ଣ ତାକୁ ନେଇ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳଙ୍କ ସାମ୍ବାଦିକ ସମ୍ମିଳନୀ ।ଓଡ଼ିଶାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ବଜେଟ୍ ପ୍ରୋଭିଜନ୍କୁ ଯଦି ଦେଖାଯିବ, ତେବେ ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ବାବଦରେ ୩,୨୬୦ କୋଟି ଟଙ୍କା ବ୍ୟୟବରାଦ ହୋଇଥିବାବେଳେ, ଚଳିତ ୨୦୨୫-୨୬ ବଜେଟ୍ରେ ଏହା ବୃଦ୍ଧି ପାଇ ୯,୬୧୦ କୋଟି ଟଙ୍କା ହୋଇଛି । ମାତ୍ର ଚାରିଟି ବଜେଟ୍ ବ୍ୟବଧାନରେ ଏହି ଅର୍ଥରାଶି ପ୍ରାୟ ତିନି ଗୁଣ ବୃଦ୍ଧି ପାଇଛି । ସେହିପରି ରାଜ୍ୟରେ ମଧୁବାବୁ ପେନସନ୍ ଯୋଜନା ଏବଂ ନ୍ୟାସନାଲ୍ ସୋସିଆଲ୍ ଆସିଷ୍ଟାନ୍ସ ପ୍ଲାନ୍ (NSAP) ଜରିଆରେ ବୃଦ୍ଧବୃଦ୍ଧା, ବିଧବା ଓ ଭିନ୍ନକ୍ଷମମାନଙ୍କୁ ଭତ୍ତା ଦିଆଯାଉଛି । ପୂର୍ବରୁ ଏଥିରେ ୫୬ ଲକ୍ଷ ୬୦ ହଜାର ହିତାଧିକାରୀ ଥିବାବେଳେ, ନୂତନ ଭାବେ ଆଉ ୫ ଲକ୍ଷ ୫ ହଜାର ହିତାଧିକାରୀଙ୍କୁ ଯୋଡ଼ାଯିବା ପରେ ଏହି ସଂଖ୍ୟା ୬୧ ଲକ୍ଷ ୬୫ ହଜାରକୁ ଛୁଇଁଛି l ଯାହାକି ଏକ ସର୍ବକାଳୀନ ରେକର୍ଡ ଅଟେ।
କେନ୍ଦ୍ର ସରକାରଙ୍କ ଦ୍ୱାରା କେୱାଇସି (KYC) ଅପଡେଟ୍ ଏବଂ ଯାଞ୍ଚ ପ୍ରକ୍ରିୟା ପରେ ଗତ ସେପ୍ଟେମ୍ବର ମାସରେ କିଛି ହିତାଧିକାରୀଙ୍କ ଭତ୍ତା ପାଇବାରେ ସାମୟିକ ଅସୁବିଧା ଦେଖାଦେଇଥିଲା । ମାତ୍ର ସରକାରଙ୍କ ଡୋର୍-ଟୁ-ଡୋର୍ ସର୍ଭେ ଏବଂ ସ୍ୱତନ୍ତ୍ର କ୍ୟାମ୍ପ ଜରିଆରେ ଅଧିକାଂଶ ସମସ୍ୟାର ସମାଧାନ କରାଯାଇସାରିଛି। ବର୍ତ୍ତମାନ ମାତ୍ର ୨୩,୦୦୦ ହିତାଧିକାରୀଙ୍କ କ୍ଷେତ୍ରରେ ସମସ୍ୟା ରହିଥିବାବେଳେ, ବାକି ୧୯ ଲକ୍ଷ ୮୦ ହଜାର ହିତାଧିକାରୀ ପୂର୍ବଭଳି ନିୟମିତ ଭତ୍ତା ପାଉଛନ୍ତି । ଯେଉଁମାନଙ୍କର ପ୍ୟାନ୍ କାର୍ଡ କିମ୍ବା ଆଧାର କାର୍ଡ ଜନିତ ତ୍ରୁଟି ଅଛି, ତାହାକୁ ମଧ୍ୟ ପାଇଲଟ୍ ମୋଡ୍ରେ ରାଜ୍ୟ ସରକାରଙ୍କ ସ୍ପେଶାଲ୍ କ୍ୟାମ୍ପ ଓ ଷ୍ଟେଟ୍ ଶେୟାର୍ ଜରିଆରେ ସମାଧାନ କରାଯାଉଛି ବୋଲି ସ୍ପଷ୍ଟ କରାଯାଇଛି। ତେଣୁ ଜନସାଧାରଣଙ୍କୁ ବିଜେଡି ଭ୍ରମିତ ନକରୁ ବୋଲି ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି।
ଏନେଇ ଆସନ୍ତାକାଲି ବାଲେଶ୍ବର ଠାରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ମୁଖ୍ୟମନ୍ତ୍ରୀ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିବେ l





